Ka Mane Thila E Katha Go

କା ମନେ ଥିଲା ଏ କଥା ଗୋ
(Kabisurjya— Raga Lalitaa, Tala Jati)
(କବିସୂର୍ଯ୍ୟ— ରାଗ ଲଳିତା, ତାଳ ଯତି)

କା ମନେ ଥିଲା ଏ କଥା ଗୋ
କଳା ଅଙ୍ଗ ସଙ୍ଗ* ହେବ ଅନ୍ୟଥା ଗୋ । ଘୋଷା ।
ସସ୍ମିତ ମୃଦୁଳ ସରସ ଭାଷା
ଶୁଣିବେ ମଥୁରାନଗରୀ ଯୋଷା ଗୋ । ୧ ।
ସ୍ୱପ୍ନ ହୋଇବ ଶିଖଣ୍ଡମଣ୍ଡନ
ନୋହିବ ନେତ୍ର ବିପଦ ଖଣ୍ଡନ ଗୋ । ୨ ।
କସ୍ତୂରୀ ନୀଳୋତ୍ପଳ ମିଶା ବାସ
ବ୍ରଜମଣ୍ଡଳେ ହେବ ଇତିହାସ ଗୋ । ୩ ।
ପଙ୍କଜବାସିନୀ ଦାସୀ* ଯାର ସେ
ମଜ୍ଜିଯିବେ ବୋଲ କୁବ୍ଜୀଟା ପାଶେ ଗୋ । ୪ ।
ସ୍ମରଜ୍ୱର ଶେଷେ ଜୀବନ ଯିବ
ମଧୁରାଧର ଢୋକେ ନ ମିଳିବ ଗୋ । ୫ ।
ଭାଜି ହେଉଥିବା କାମ ଦହନେ
ରାଜୀବପଦ ନ ଲଦିବା ସ୍ତନେ ଗୋ । ୬ ।
କେ ଜାଣିଥିଲା ଏ ଦଣ୍ଡ ପହିଲେ
ଅଷ୍ଟଦୁର୍ଗ ଧରାଧୀଶ କହିଲେ ଗୋ । ୭ ।


*ପାଠାନ୍ତର : ଶ୍ୟାମ ଅଙ୍ଗ ସୁଖ, ପ୍ରିୟା ଯାର ସେ