Kalindi Kulaku Mora Sankhali

କାଳିନ୍ଦୀ କୂଳକୁ ମୋର ସଙ୍ଖାଳି ନ ଯା ରେ
(Kabisurjya— Raga Kalyana, Tala Jati)
(କବିସୂର୍ଯ୍ୟ— ରାଗ କଲ୍ୟାଣ, ତାଳ ଯତି)

କାଳିନ୍ଦୀ କୂଳକୁ ମୋର ସଙ୍ଖାଳି ନ ଯା ରେ । ଘୋଷା ।

ଯା ଶିରେ ଚନ୍ଦ୍ରିକା ଚୂଳ ରଙ୍ଗ ସ୍ଥଳ ନୀପମୂଳ
ତା ନୟନ ଅଞ୍ଚଳଟି ଜ୍ଞାନହଜା ରେ । ୧ ।

ନବ ଯୁବତୀଙ୍କ ଜାତି ନେବ ବୋଲି କେତେ ଜାତି
ସୁଆଗ ଜାଣଇ ସେ ନାଟୁଆ ରଜା ରେ । ୨ ।

ଜାମ୍ବୁନଦ ଘଟେ ବାରି ଆଣନ୍ତୁ ତୋ ପରିଚାରୀ
କୂପ ଉପକଣ୍ଠେ ଶ୍ରୀଅଙ୍ଗକୁ ମଜ୍ଜା ରେ । ୩ ।

ଏହି ପୁରେ ତୋ କାମନା ଭରତି ହୋଇବ ସିନା
ଶ୍ୟାମ ଅଙ୍ଗସଙ୍ଗ ଡର ଥିଲେ ମଜ୍ଜାରେ । ୪ ।

ତା ବେଣୁ ନିଃସ୍ୱନ ଦୂରୁ ଜନମାଉଛି ଦେହରୁ
ନୀପ ଫୁଲ ପରିରେ ପୁଲକ ଗଜା ରେ । ୫ ।

ନ ଛପାଅ ମନ ଥିଲେ ବନ୍ଦି କବିରବି ବୋଲେ
ସୁଖେ ବ୍ରଜ ମଣ୍ଡଳେ ଡିଣ୍ଡିମ ବଜା ରେ । ୬ ।