(କବିସୂର୍ଯ୍ୟ— ରାଗ ସୁରଠ ଗୁଜ୍ଜରୀ, ତାଳ ଯତି)
କି ନ କରେ ପ୍ରେମରୀତିରେ ସଜନୀ
ସେ ଶ୍ୟାମ ଅନୁସରଣେ ସଖୀ ମୋର
ହେଉଛି ଯେତେ ଅନୀତିରେ । ଘୋଷା ।
ଶିରୀଷ କୁସୁମ ତାଡ଼ନରେ ସହୀ
-ମେଳେ ଯେ ମୋହକୁ ଯାଇ
ସେ କରକାମିଶା ପ୍ରଖର ବରଷା
ସହି ତ୍ୱରା ତ୍ୱରା ଯାଇ । ୧ ।
ଉଠେ ଯେ ସଜନୀ କରେ କର ଦେଇ
ଦେହଳୀ ଲଙ୍ଘିବା ପାଇଁ
ସେ କଣ୍ଟା ଅବାଟ ନିଗଡ଼ ନିପଟ
ନ ମାନି ସଙ୍କେତେ ଯାଇ । ୨ ।
ଦିବସେ ଯେ ଡରେ ସହଚରୀ ମେଳେ
ତମଧାମେ ନ ପଶଇ
ସେ ବିଜୁଳୀ ଦେଖା ହୋଇଣ ଅଶାଖା
ନିତି ବୃନ୍ଦାବନେ ଧାଇଁ । ୩ ।
ଭିତ୍ତିରେ ଚିତ୍ରରେ ଲେଖା ଉରଗରେ
ଭୟେ ଯେ ନ ଦିଏ ପାଣି
ସେ ଶାଢ଼ୀ ଶେଷରେ ତନୁ ଛପାଉଛି
ଫଣିମଣି ତେଜ ଜାଣି । ୪ ।
କବିରବି ବୋଲେ ସେ ମୋହନ ଛବି
ଯେ ଦେଖେ ନୟନ ଭୁଲେ
କହିଲେ କି ବାଳୀ ମାନିବ ଏ କଥା
ବୃଥା ହେବ କଥା ତୁଲେ । ୫ ।