Kunja Nilaya Bhusa Re

କୁଞ୍ଜନିଳୟଭୂଷା ରେ
(Kabisurjya— Raga Mohanaa, Tala Aditala)
(କବିସୂର୍ଯ୍ୟ— ରାଗ ମୋହନା, ତାଳ ଆଦିତାଳ)

କୁଞ୍ଜନିଳୟଭୂଷା ରେ
ଅଞ୍ଜନପୁଞ୍ଜ ମସାରଘନକେଶା
କଞ୍ଜଚନ୍ଦ୍ରମଦଗଞ୍ଜନାସ୍ୟରୁଚି
କୁଞ୍ଜରଗତି ମନୋରଞ୍ଜନବେଶା । ଘୋଷା ।

ଆସ ମୋ କୋଳରେ ବିରାଜ
ଦାସର ସରିକି କରି କି ଲାଜ
ବାସକୁ ପରିକର ଆଜ
ନାଶ ଦୁଃଖସମାଜ
ଧନ ମୋତେ ବାସବାଦି ପରିହାସ ଚତୁର କର
ବରବରନା ବରନାଗରୀରାଜ । ୧ ।

କୁନ୍ଦସୁନ୍ଦର ଦଶନାଳି
ସୁନ୍ଦରୀମଣି ତୁ ମୋର ସଙ୍ଖାଳି
ଚନ୍ଦନ ସଉରଭପାଳୀ
କୁନ୍ଦନମୟମାଳି
ବୃଷରବିନନ୍ଦିନୀନ୍ଦ୍ରମଣି ମଞ୍ଜୁଭୁଜଗଭୂରୁ
ଚଳନୟନାଞ୍ଚଳ ଦେ ଥରେ ଢାଳି । ୨ ।

ମାର ରଖିଛି ଶର ଶାଣି
ତାର ତ ଚରିତ ଅଛୁ ପରା ଜାଣି
ସାରକୁ ଘେନିଯିବ ଛାଣି
କା’ର ସେ ରଖେ ଠାଣି
ମୋର ହୃଦୟ ତାର ହାର ହୁଅ ଆରେ ସୁଗୁଣବତୀ
ରତିଚତୁରା ନବପଲ୍ଲବପାଣି । ୩ ।

କାଞ୍ଚନଗଉରୀ ବିଚାର
ବଞ୍ଚନ ବିଧିକି ବିରଚିବାର
ମୁଞ୍ଚ ଧନ ମୁଁ ପରିଚାର
ମଞ୍ଚରେ ତ ତୁ ସାର
ଅବିରତ ପଞ୍ଚବାଣ ରଣକୌଶଳ ପରିଚୟ
କର ସୁରସାବର ସାର୍ଥରେ ମୋର । ୪ ।

ଏପରି ନବଘନ ଶ୍ୟାମ
ଚାଟୁ ବିରଚି ଲଭୁଁ ବିରାମ
ସସ୍ମିତ ତରୁଣୀଲଲାମ
ପୂରିଲେ ହରିକାମ
ନୃପ ଜଗଦ୍ଦେବ ସେ ସମୟ ବେଶ ଲଳିତ
-ପଦଯୁଗ ଯୁଗଳ ଜଳଜାବଳୀ ଦାମ । ୫ ।