(କବିସୂର୍ଯ୍ୟ— ରାଗ ପୁନ୍ନାଗ, ତାଳ ଯତି)
କୁନ୍ଦକଳିଦଶନା
ନନ୍ଦନନ୍ଦନ ଶୋଭାକୁ ଅନାଁ ଗୋ । ଘୋଷା ।
ଇନ୍ଦ୍ରନୀଳସାର ଶରୀର ଏହାର
କଟିତଟପଟ ସୁନା ଗୋ
ତ୍ରିଭଙ୍ଗୀରେ ଉଭା ହେବା ଛବିକି ମୁଁ
ଲୁଚି ହୋଇଯାଏଁ କିନା ଗୋ । ୧ ।
ଶରଦଚନ୍ଦ୍ର ବିମ୍ବରେ ଏ ଦ୍ୟୁତିରୁ
ନାହିଁ ବୋଲି ଅଧ ଚିନା ଗୋ
କମ୍ପୁଛି ଅଖଣ୍ଡ ଶିଖଣ୍ଡମଣ୍ଡନ
ମୁକୁଟ କପଟବାନା ଗୋ । ୨ ।
ମଧୁର ଅଧର ବଧୂଲୀକି ତହିଁ
ମୁରଲୀ ମୋହନ ସ୍ୱନା ଗୋ
କହି କହି କୁଳବ୍ରତ ଲତାମୂଳ
ଏହି ଟାଳୁଅଛି ସିନା ଗୋ । ୩ ।
ଶ୍ରୀଅଙ୍ଗ ଛୁଇଁ ଆସିବା ମରୁତର
କରୁଅଛି ଆଶ୍ୱାସନା ଗୋ
ମୃଗମଦସାର ଦଳ ଇନ୍ଦୀବର
ମିଶାମିଶି ସୁବାସନା ଗୋ । ୪ ।
କୁଙ୍କୁମ ଚନ୍ଦନ ମୃଗମଦ
ଘନସାର ଶିର ଗୋରୋଚନା ଗୋ
ଏହାଙ୍କୁ ସେବି କୃତକୃତ୍ୟ ହେବାକୁ
କରିଛି ଧାତା ରଚନା ଗୋ । ୫ ।
ଜଗତୀ ଧୃତି ବିଧ୍ୱଂସ ନୁହଇ ଏ
ନେତ୍ରାଞ୍ଚଳ ଖେଳ ବିନା ଗୋ
ବୋଲେ ଜଗଦ୍ଦେବ ଏଥୁଁ ମନୋଭବ
ମାର୍ଗଞଣ କି ଶୁଣା ଗୋ । ୬ ।