Khanjarita Nayana Alape Chahan Re

ଖଞ୍ଜରୀଟନୟନା ଅଳପେ ଚାହାଁରେ
(Kabisurjya— Raga Bilahari, Tala Aditala)
(କବିସୂର୍ଯ୍ୟ— ରାଗ ବିଲାହାରୀ, ତାଳ ଆଦିତାଳ)

ଖଞ୍ଜରୀଟ ନୟନା ଅଳପେ ଚାହାଁରେ । ଘୋଷା ।

ଅଞ୍ଜନରୁଚି ମଦଗଞ୍ଜନ କେଶା
କଞ୍ଜସୁନ୍ଦର ମୁଖରଞ୍ଜନ ବେଶା
ସଞ୍ଜ କୁମୁଦ ସମ ହାସବିଳାସା
ତୁ ସିନା ସାହା ରେ । ୧ ।

ଦନ୍ତବସନ ରୁଚି ସନ୍ତତ ଚାଖି
ସନ୍ତତ ତବ ତନୁ କାନ୍ତିରେ ଲାଖି
କାହିଁ ଭରସି ରସି ନାହିଁ ମୋ ଆଖି
ତୋହର ବାହାରେ । ୨ ।

ବାରଣବର ଗମନା ରସକାରା
ପରିଚିତ ରଣରଣ ଧରଣୀ ବିହାରା
ରଚ ବଚନାମୃତ ନିର୍ଗତ ଧାରା
ମିଶ ହୃଦ ହାରେ । ୩ ।

ଚଣ୍ଡମଦନକର ଦାରୁଣ ବାଣେ
ଦଣ୍ଡକୁ ସମୁଚିତ ନୁହଇ ମୁଁ ଟାଣେ
ମଣ୍ଡ ଗଳକୁ କହେ ଅଗଣିତ ରାଣେ
ମୃଦୁଳ ବାହାରେ । ୪ ।

ମଗ୍ନ ମୁଁ ତୋର ରସ ନିର୍ଝର କୂପେ
ତନୁରୁଚି ନିର୍ଧୂତ ହାଟକ ରୂପେ
ସକରୁଣ ହୁଅ ହରିଚନ୍ଦନ ଭୂପେ
ମୋ ସୁଖରାହା ରେ । ୫ ।