Chandana Basi Kundabara Hasi Re

ଚନ୍ଦନବାସି କୁନ୍ଦବରହାସୀ ରେ
(Kabisurjya— Raga Saranga, Tala Aditala)
(କବିସୂର୍ଯ୍ୟ— ରାଗ ସାରଙ୍ଗ, ତାଳ ଆଦିତାଳ)

ଚନ୍ଦନବାସି କୁନ୍ଦବରହାସୀ ରେ । ଘୋଷା ।

କରୁଣାମୟ ବରୁଣାଳୟହୃଦୟା ଘନକେଶୀ ରେ
ପରାପତ ତୁ ତେ ହେଲୁ ପରା ନିରତେ
ହରାଙ୍ଘ୍ରି ଭଜନରୁ କାଶୀ ରେ । ୧ ।

ଶରଣାଙ୍କିତ ଅରୁଣାମ୍ବୁଜଚରଣା ମୃଦୁଭାଷୀ ରେ
ଧରାତରୁଣୀଶିରଝରାରତନ ମତେ
କରା ଆଜ ତୋ ନିଜ ଦାସୀ ରେ । ୨ ।

ମଦନେଷୂଜକଦନେ ନିରତ ସଖି ଗଲି ଭାସି ରେ
ତରୀ ପରି ଅଙ୍କରେ କରି ନିବିଡ଼ତରେ
ପରିରମ୍ଭରେ ରଖ ଆସି ରେ । ୩ ।

ଲଳନାବର ତୁଳନା ପରିକଳନା ଗୁଣରାଶି ରେ
ଅନା ଅନା ଚପଳା ନୟନାନ୍ତରେ ତୁ ରେ
ମଦନାହବକୁ ଫରମାସି ରେ । ୪ ।

କରି ବନ୍ଦନ ହରିଚନ୍ଦନ କହେ କୁଞ୍ଜବିଳାସୀ ରେ
ରୁଷା ବରଜି ମୃଗଦୃଶା ପଡ଼ିଲେ
ମୃଦୁ ମସାରନିଭ ଭୁଜପାଶିରେ । ୫ ।