Chahan Re Nidhu Bana Keli Kusalaku

ଚାହାଁରେ ନିଧୂବନ କେଳିକୁଶଳାକୁ
(Kabisurjya— Raga Sankarabharana, Tala Ekatali)
(କବିସୂର୍ଯ୍ୟ— ରାଗ ଶଙ୍କରାଭରଣ, ତାଳ ଏକତାଳି)

ଚାହାଁରେ ନିଧୂବନ କେଳିକୁଶଳାକୁ । ଘୋଷା ।

କୋମଳପାଦ ସରୋରୁହ ଯାବକ ଚିତ୍ରଶଳାକାଧରାକୁ
ତୋ ମଧୁରାଧର ଲାଲ ଜବା ମକରନ୍ଦଝୁରା ଭ୍ରମରାକୁ । ୧ ।

ନିର୍ଜିତ ଶୋଣସରୋଜକରେ କରୁ ଯା ସଜଡ଼ା ବିଡ଼ିଆକୁ
ହୀରକ କୈରବ କାଶ ସୁଧାକର ହାସ ବିଳାସିନୀ ତାକୁ । ୨ ।

ଚାରୁ ସୁନୀଳ ଚଳାଚଳ ଲୋଚନ ଦ୍ରୋଣ ନିଦେଶକରାକୁ
ଚାମର ବାତଭରେ ରତି କୌତୁକ ସମ୍ଭବ ଖେଦହରାକୁ । ୩ ।

ଶୈଳ ସହୋଦର ପୀନ ପୟୋଧର ଚନ୍ଦନ ଭୋଗଦିଆକୁ
ମଞ୍ଜୁଳିମାଚଳ କକ୍ଷତଳେ ନଖକେଳିକଳା ହଟିଆକୁ । ୪ ।

ବାନ୍ଧବି ଯଦ୍ୟପି ମାନସରେ ଅଛି ଲେଶ କୃପା କରିବାକୁ
ରାଜକଦମ୍ବ କିରୀଟ ଜଳନ୍ତରନାଥ ମହୀମଘବାକୁ । ୫ ।