(କବିସୂର୍ଯ୍ୟ— ରାଗ ପରଜ, ତାଳ ଏକତାଳି)
ଚାହିଁବୁ ଯେବେ ଶ୍ୟାମ ଦ୍ୟୁତିକି ରେ
କାହିଁ ହଜାଇ ଦେବୁ ମତିକି ରେ
ନାହିଁ ବୋଲିବା କଥା ଜାଣିବୁ କି ସର୍ବଥା
ଆଉ କି ସମ୍ଭାଳିବୁ ଧୃତିକି ରେ । ଘୋଷା ।
ଏ ନଗରେ ଏଣିକି ଭ୍ରମେ ଚୁମ୍ବିବ ନିକି
ସତୀ ଏ ଦୁଇବର୍ଣ୍ଣ ଶ୍ରୁତିକି ରେ
ସତେ ପ୍ରାଣମିତ ରେ ତା ସେବାରୁ ଇତରେ
ଯୁବତୀ ଜନମକୁ ଗତି କି ରେ । ୧ ।
ଯେବେ ସେ ହେବ କୋଳେ କଳାବତୀ ମଣ୍ଡଳେ
ନ ଟେକିବୁ କି ଶ୍ୱେତଛତିକି ରେ
ଚୁମ୍ବିଲେ ତା ବଦନକଞ୍ଜଟି ଗୁରୁଜନ
ଗଞ୍ଜନ ଲଭିଲେହେଁ କ୍ଷତି କି ରେ । ୨ ।
ଭବନ ମଣି ବିଷ ସେ ନବଯୁବା ପାଶ
ରବିନନ୍ଦନା ତୀର କ୍ଷିତିକି ରେ
କି ସୁଖ ଇନ୍ଦ୍ର ଅଙ୍କେ ନନ୍ଦନରେ ନିଃଶଙ୍କେ
ଆରୋହିଲେ ଆଭ୍ରମୁପତିକି ରେ । ୩ ।
ଅବା ତା ପଥେ ଯିବା ଜାଣି କଳପି ଥିବା
ତା ପଛେ ଯେତେ ପରାଭୂତିକି ରେ
ମୋହନ ସ୍ମିତ ଅବଲୋକେ ପାଶୋର ଯିବ
ନ ଆଚରିବ କି ବିନତିକି ରେ । ୪ ।
ଶୁଣି ଶ୍ରୀ ଠାକୁରାଣୀ ଚିତ୍ର ମଣିଲେ ଜାଣି
ନ ଥିଲା ପରି ହରିପ୍ରୀତିକି ରେ
ସେକାଳେ ଦୁଇ ସଖୀ କୃପା କଲେ ସୁମୁଖୀ
ମୁକୁନ୍ଦଦେବ ଗଜପତିକି ରେ । ୫ ।