(କବିସୂର୍ଯ୍ୟ— ରାଗ ବିଚିତ୍ର କାମୋଦୀ, ତାଳ ଆଡ଼ତାଳି)
ତୁହି ପରା
ମୋ ହୃଦୟ ମଣିମୟହାରା ରେ । ଘୋଷା ।
ସହି ତୁ ମୋହର ସକଳ ସମ୍ପଦ
ମଦନ ଫଣୀ ରଦନ ବିଷ ଗଦ
ଅଖିଳ ବିଭବ ଆଖଣ୍ଡଳ ପଦ
ଆରୋହଣ ପରମ୍ପରା ରେ । ୧ ।
ରସିକରାଜି ମସ୍ତକ ଅଳଙ୍କାର
ବିଦ୍ରୁମ ନବପଲ୍ଲବ ଗର୍ବହର
ତୋ ପୟର ଲାକ୍ଷାରଞ୍ଜକ ଦାସ ମୁଁ
ବିରହ ଦୁଃଖପାସୋରା ରେ । ୨ ।
କହିଥିବେ ସହି ଜାଣି ବା ନ ଜାଣି
ମଣିଲୁ କି ସତ ଶୁଣି ତାଙ୍କ ବାଣୀ
ଧରିଛୁ ବିରସ ବିବେକିନୀ ଶ୍ରେଣୀ
ମସ୍ତକ ମଣ୍ଡନ ଝରା ରେ । ୩ ।
ନ ମଣ୍ଡିବୁ ସିନା ମୋର ବକ୍ଷସ୍ଥଳ
ହୃଦୟରୁ ଯିବୁ କରି କେଉଁ କଳ
ମୋ ମନ ଗଗନ ତଟ ସମୁଜ୍ଜ୍ୱଳ
ଉଦୟ ନିର୍ମ୍ମଳ ତାରା ରେ । ୪ ।
ସଜନୀ ଗୋ ନବ ସୁରତି ବିଭବ
ପାସୋର ଯିବ କି ମନୁ ଥିଲେ ଜୀବ
ଦୀନ କବିରବି ଚାତକର ନବ
-ଘନରସ ଜଳଧାରା ରେ । ୫ ।