(କବିସୂର୍ଯ୍ୟ— ରାଗ କାମୋଦୀ, ତାଳ ତ୍ରିପଟା)
ତେଣ୍ଟାରେ ଜାଣି ଜାଣି ପଡ଼ିଲି ରେ
ଘଣ୍ଟାରବ ପଥ ମୁଁ ଛାଡ଼ିଲି ରେ
କଣ୍ଟା ନିରୁଦ୍ଧ ଘାଟୀ ସଞ୍ଚାର କ୍ଳେଶ ଧାଟୀ
ବଣ୍ଟା ନେବି ମୁଁ ବୋଲି ଅଡ଼ିଲି ରେ । ଘୋଷା ।
ମରୀଚ ଘନସାର ଉପଳ କ୍ଷୀରସର
ବିନା ତ ପିଚୁମର୍ଦ୍ଦ ଲୋଡ଼ିଲି ରେ
ହଟ୍ଟକୁଟ୍ଟିମ ମୂର୍ଦ୍ଧସ୍ଥଳ ଖେଳ ସଂଶ୍ରଦ୍ଧ
ନୋହି ଦୁର୍ଗନ୍ଧ ଗର୍ଭେ ବୁଡ଼ିଲି ରେ । ୧ ।
ଦେବ ପ୍ରାସାଦ ମତି ଜନମିବାରୁ ନିତି
ବଲ୍ମୀକ ଦେଖି କର ଯୋଡ଼ିଲି ରେ
କର୍ମଠ ଧର୍ମଦକ୍ଷ ସାକ୍ଷର ବିପ୍ରମୁଖ୍ୟ
ନିତ୍ୟନିବାସ ବେଶ ପୋଡ଼ିଲି ରେ । ୨ ।
ଜମ୍ଭାରାତି ପ୍ରେରିତ ଦମ୍ଭୋଳି ଦୃଢ଼ାଘାତ
ବଞ୍ଚାଇବାକୁ ଛାତି ଆଡ଼ିଲି ରେ
ସମ୍ଭାଳିବାକୁ ବଳ ନୋହିବାରୁ କେବଳ
କରତଳେ କପାଳ ତାଡ଼ିଲି ରେ । ୩ ।
ହଂସୁଲି ତୂଳିତଳ୍ପ ପାସୋରି ଦେଇ ଅଳ୍ପ
ଲୋକଙ୍କ ପରି ତଳେ ଗଡ଼ିଲି ରେ
ରାଧାରମଣ ଘନଶ୍ୟାମ ବୋଲିବା ଜନ
ଦେଖି ସକ୍ରୋଧେ ଦନ୍ତ ଭିଡ଼ିଲି ରେ । ୪ ।
ସମ୍ଭାଷଣ ନ କଲି ରମ୍ଭାସଦୃଶ ବଲ୍ଲୀ
-ଦେହାକୁ ଦୂରୁଁ ଦେଖି ତଡ଼ିଲି ରେ
ଚାଟୁ ଗିରେ ଆଶ୍ୱାସି ଜରତି ବହିର୍ଦାସୀ
-ମାନଙ୍କ ଅଙ୍କସ୍ଥଲେ ଜଡ଼ିଲି ରେ । ୫ ।
ବନ୍ଧୁ କ୍ଷମାସରସୀ ହୋଇ ଅନ୍ୟାଭିଳାଷୀ
ଅରଣ୍ୟରେ ପଶି ମୁଁ ରଡ଼ିଲି ରେ
କହେ କବିଅର୍ଯ୍ୟମା ମୁଁ ଦୋଷ କଲେ କ୍ଷମା
ହେବ ନାହିଁ କି ବୋଲି ବିଡ଼ିଲି ରେ । ୬ ।