Barijakhi Manaru Mana

ବାରିଜାକ୍ଷୀ ମନରୁ ମାନ ବାରି ଦେ ରେ
(KabisurjyaKhemata)
(କବିସୂର୍ଯ୍ୟଖେମଟା)

ବାରିଜାକ୍ଷୀ ମନରୁ ମାନ ବାରି ଦେ ରେ
ଦେଖ କାଳ ହେଲା କଳା ବାରିଦେ ରେ । ଘୋଷା ।

ଦାସ ନାଶରେ ମାନସ । ବଳିଛି ଯେବେ ନାରୀଶ ।
କରଜ ନାରାଚ ମାରି ଚିରି ଦେ ରେ । ୧ ।

ତୋ ଚରଣ ସେବା ଭଳି । ନୋହିଲି ଯେବେ ରେ ଆଳି ।
ଗାଳି ଦିଆଇ ମହତ ସାରି ଦେ ରେ । ୨ ।

ଏବେ ବନ୍ଧୁ ଅନାଥରେ । ଦୟା ଥିଲେ ଅନା ଥରେ ।
କରୁଣା କଟାକ୍ଷ ନେତ୍ରେ ଠାରି ଦେ ରେ । ୩ ।

ମହିଳାମଣି ଜଗତେ । ତୋ ବିନା ସାହା କେ ମୋତେ ।
ମାର ମୁଖୁଁ ବଞ୍ଚାଇବି ଗାରି ଦେ ରେ । ୪ ।

ଦ୍ୱିଜ କବିରବି ବାଣୀ । ଶୁଣି ସେ ରମଣୀମଣି ।
ସ୍ନେହେ ଦ୍ରବି ବହିଗଲା ବାରି ଦେରେ । ୫ ।