Bhasiliti Asi Darahasi

ଭାସିଲିଟି ଆସି ଦରହାସୀ
(Kabisurjya— Raga Manjughosa Kedara, Tala Ekatali)
(କବିସୂର୍ଯ୍ୟ— ରାଗ ମଞ୍ଜୁଘୋଷ କେଦାର, ତାଳ ଏକତାଳି)

ଭାସିଲିଟି ଆସି ଦରହାସୀ ଥରେ ରଖ ରେ । ଘୋଷା ।

ନିଧୂବନ ବିଚକ୍ଷଣା । ଜାଣି ତୋ କରୁଣା ଉଣା ।
ମାରି ଗିରୀଶାରି ମୋତେ ସାରିଦେଲା ଦେଖ ରେ । ୧ ।

ଶରଣ ତୁହିଟି ବୋଲି । ଚରଣକଞ୍ଜ ଧଇଲି ।
ଚାହିଁଲୁ ଯା ନାହିଁ ଧନ କାହିଁକି ଏ ଦୁଃଖ ରେ । ୨ ।

ନ ଶୁଣି ମୋ ଚାଟୁ ବାଣୀ । ଗଣ୍ଡଦେଶେ ମଣ୍ଡି ପାଣି ।
ଭୀରୁ କି ମତରୁ ମହୀ ଚିରୁଅଛୁ ନଖରେ । ୩ ।

ଧରୁଛି ପଲ୍ଲବ କର । ଏବେ କୃପା ଲବ କର ।
ହାସ ସମୁଲ୍ଲାସ ପରକାଶ ବିଧୁମୁଖରେ । ୪ ।

ଆରେ ନବୀନ ବନିତା । ଲଗାଇଣ ପ୍ରୀତିଲତା ।
କାଟି ପକାନାଟି ସେ ଏକାଠି ସବୁ ସୁଖ ରେ । ୫ ।

ଅଷ୍ଟଦୁର୍ଗନାଥ ଶରେ । କଷ୍ଟ ନାଶି ହସି ଦରେ ।
ଧରାଶିରହୀରା ଆସି ବିରାଜିଲା ପାଶରେ । ୬ ।