Mahi Mandana Tu Na Mara Mara Re

ମହୀମଣ୍ଡନା ତୁ ନ ମାର ମାରରେ
(Kabisurjya— Raga Margabihaga, Tala Ekatali)
(କବିସୂର୍ଯ୍ୟ— ରାଗ ମାର୍ଗବିହାଗ, ତାଳ ଏକତାଳି)

ମହୀ ମଣ୍ଡନା ତୁ ନ ମାର ମାରରେ । ଘୋଷା ।

ଘେନ ତୋ ଅବଧାନେ ରସିଲି ମୁଁ କି ଆନେ
ତୁ ଥାଉଁ ଥାଉଁ ଏ ସଂସାର ସାର ରେ । ୧ ।

ବରଜି ମଣିପୁଞ୍ଜ ଅରଜିବାକୁ ଗୁଞ୍ଜ
ଶିରୀଷ ଅଙ୍ଗୀ ଅଙ୍ଗୀକାର କାର ରେ । ୨ ।

କିସ ମାନସେ ଭାଳି କରଜ କଳୀ ଚାଳି
ଭରତି କଲୁଣି ଅଗାର ଗାର ରେ । ୩ ।

କେଳି ଚଞ୍ଚଳତର ନେତ୍ର ଖଞ୍ଜନୁ ନୀର
ବହେ କାହିଁକି ଆହା ଧାର ଧାର ରେ । ୪ ।

ଆରେ ରତି ପ୍ରତିମା ଆଚର ଏବେ କ୍ଷମା
ବହିବି ତୋ ହୁକୁମ ବାରବାର ରେ । ୫ ।

ମୋ ଧନ ହୁଅ ରାଜି ମଦନ ବାଣ ବାଜି
ହେଲାଣି ମୋ ହୃଦୟ ଆରପାର ରେ । ୬ ।

ମୋ ସପତଟି ମଥା ଟେକି ଭାଷ ତୁ କଥା
କହେ ଶ୍ରୀ ଜଗଦ୍ଦେବ ବାରବାର ରେ । ୭ ।