Mana Sumana

ମାନ ସୁମନା
(Kabisurjya— Raga Khambaja, Tala Rupaka)
(କବିସୂର୍ଯ୍ୟ— ରାଗ ଖମ୍ବାଜ, ତାଳ ରୂପକ)

ମାନ ସୁମନା
କରିଦେ ମାନସୁଁ ମନା ରେ । ଘୋଷା ।

ଗିରିସମ ଜାଇ ରେ ରାମା । ଗିରିସମ ଜାଇ ।
ଦେଇ ମୁଁ ପାଇଛି ତୋତେ ଗିରୀଶ ମଜ୍ଜାଇ । ୧ ।

ନାଗରାଜ ଗତେ ରେ ରାମା । ନାଗରାଜ ଗତେ ।
ମୁଁ ତୋର ବୋଲି ବାଜୁଛି ନାଗରା ଜଗତେ । ୨ ।

ତୋର ପରିକର ରେ ରାମା । ତୋର ପରିକର ।
ଆଜି ସିନା ରତେ ମୋତେ ତୋର ପରି କର । ୩ ।

ଫୁଟିଲେ ନିଆଳି ରେ ରାମା । ଫୁଟିଲେ ନିଆଳି ।
ଜଳପି ଜଳପି ତୋତେ ଫୁଟିଲେନି ଆଳି । ୪ ।

ରମ୍ଭାଉରୁ ବସି ରେ ରାମା । ରମ୍ଭାଉରୁ ବସି ।
ଅଙ୍କେ ଥିଲେ ନ ଗଣେ ମୁଁ ରମ୍ଭା ଉରୁବଶୀ । ୫ ।

ନବ ସୁରସା ରେ ରାମା । ନବ ସୁରସା ।
ତୁ ପରା ମୋ ଅଙ୍କ ବିନା ନ ବସୁ ରସାରେ । ୬ ।

ହରିଚନ୍ଦନକୁ ରେ ରାମା । ହରିଚନ୍ଦନକୁ ।
ଘେନ ଯଥା ବସନ୍ତରେ ହରି ଚନ୍ଦନକୁ । ୭ ।