(କବିସୂର୍ଯ୍ୟ— ରାଗ ମୁଖାରୀ, ତାଳ ଏକତାଳି)
ମୁଁ ହାରିଲି ହେଉ ଏତିକି ଗୋ
ଜୁହାରିଲି ଶ୍ୟାମ ପ୍ରୀତିକି ଗୋ
ଗୁହାରି କରିବି କାହା ଆଗେ କେତେ
ଲୁହାରେ ବନାଇଁ ଛାତିକି ଗୋ । ଘୋଷା ।
ଦେହକୁ ସମରପି ପ୍ରାଣ ତୁଲେ
ସ୍ନେହକୁ ସମ୍ପାଦିବା ସିନା ଭଲେ
ଏ ହଟହଟାରେ କେ ମରିବ କରି
ସଙ୍ଖାଳି ବିଶ୍ୱାସଘାତୀକି ଗୋ । ୧ ।
ନିୟମ କରି ନ ପାଳଇ ଯାହା
କି ଅମଳଖିଆ କରଇ ତାହା
ଦିଅ ମୋତେ ଗାଳି ପଛେ ମୁଁ ନ ପାରେ
ପରୁଷ ପୁରୁଷ ଜାତିକି ଗୋ । ୨ ।
ଦୁଆଗଲା ଶାଳୀବନେ କି ରଙ୍ଗ
ସୁଆଗ ନ ଥିବା ଜନେ କି ସଙ୍ଗ
ମୁଁ ଆଗ ବିବେକ ହୁଡ଼ି ହୃଦୟକୁ
ସମର୍ପିଲି କାମକାତିକି ଗୋ । ୩ ।
ହଟିଲା ରାଧାର ଏ କଞ୍ଜନେତ୍ର
ଘଟିଲା ମୋ କର୍ମ୍ମେ ଏ ଦଶା ମାତ୍ର
ଜଟିଳା ଜାଣିଲେ ସଂସାରୁ ସରିବି
ପାଇ ଘୋର ଅପଖ୍ୟାତିକି ଗୋ । ୪ ।
ଶତ ପଦରେ ପଦେ ନାହିଁ ସତ
ସତ ପରି ହୋଇବାରୁ ପ୍ରତୀତ
ଅତପଃଶୀଳା ମୁଁ ଅନୁଭବ କଲି
ଏ ତପତି ଉତପତ୍ତିକି ଗୋ । ୫ ।
ଶିଖଣ୍ଡଚୂଳିଆର ଗୁଣ ତୁଲେ
ଏ ଖଣ୍ଡ ଅଛି ବୋଲି ଜାଣିଥିଲେ
ଅଖଣ୍ଡ ବିଶ୍ୱାସ କରନ୍ତି କି ଭଲେ
ଜଗଦ୍ଦେବ ଏ ଭାରତୀକି ଗୋ । ୬ ।