(କବିସୂର୍ଯ୍ୟ— ରାଗ ମାଳବଗୌଡ଼ା, ତାଳ ରୂପକ)
ରାତି ପାହିଗଲା ହେ ହାତୀ
ହୁଅ ଅପହୁଡ଼ ତେଜ ସୁପାତି । ଘୋଷା ।
ହେମ ହେଲା ଉରମୁକୁତା
ପାନ କଳ ଲାଗିଲା ପିତା
କରଟ କୁମ୍ଭାଟ ଚମକି ରଟନ୍ତି
ରାଜିଲା ଅରୁଣ କିରଣ କାନ୍ତି । ୧ ।
ଛୁଇଁ ଗଙ୍ଗଶିଉଳି ବନ
ବହିଲାଣି ମୃଦୁ ପବନ
ରଥାଙ୍ଗ ଦମ୍ପତ୍ତି ହୃଦୟରୁ କିଛି
ଦୂର ହୋଇଲାଣି ବିରହ ତାତି । ୨ ।
ବିଳସିଲେ କୁମୁଦ ନିଦ
ଅଳିକୁଳ ହେଲେ ପ୍ରମୋଦ
ଲାଗିଲାଣି ଭୟ ସଙ୍ଗିନୀ ନିଶ୍ଚୟ
ଇଙ୍ଗିତରେ ଘେନି ଯିବେ ମୋ ଜାତି । ୩ ।
ମନ ମୋର ଧୃତି ନ ଟଳୁ
ଧନ ମୋତେ ମେଲାଣି ମିଳୁ
ରାଧା ନନ୍ଦସୁତ ମାତିଲେ ବୋଲି ତ
ତୁଚ୍ଛାକୁ ଏ ବ୍ରଜମଣ୍ଡଳେ ଖ୍ୟାତି । ୪ ।
ଜଳନ୍ତର ଭୂପତି କହେ
ଅଙ୍ଗରାଗ ଅଛି ମୋ ଦେହେ
ଅତି ସେ ନ ଜରୁ ହେମ ଉରୋଜରୁ
ଶିଥିଳାଇ ଦିଅ ଅଳପ ଛାତି । ୫ ।