(କବିସୂର୍ଯ୍ୟ— ରାଗ ଭୈରବୀ, ତାଳ ରୂପକ)
ଶ୍ୟାମ ସମ କମନୀୟ ନାହିଁ ଆଉ
ତା ବାହୁଭିଡ଼ାରେ ମୋର ଦିନ ଯାଉ । ଘୋଷା ।
କି ସୁନ୍ଦର ପୀତପଟ । ତ୍ରିଭଙ୍ଗ ମୁରଲୀନଟ ।
ତା ଶିର ମୁକୁଟ ଦିଶେ ଦାଉଦାଉ । ୧ ।
ଆଳି ମଙ୍ଗଳାଙ୍କୁ ଜଣା । ଥିଲେ ନ ଥିଲେ କରୁଣା ।
ନୟନସମ୍ପତ୍ତି ମୋର ଜୀଇଥାଉ । ୨ ।
ପଡ଼ିଗଲେ ତା ନଜରେ । ମଦନ ମାଦକ ଶରେ ।
ନାରୀ ହୃଦୟରୁ ଖସିପଡ଼େ ହାଉ । ୩ ।
ନିନ୍ଦିଲେ ନିନ୍ଦନ୍ତୁ ଜନେ । ତା ପଛେ ମୁଁ ବନେ ବନେ ।
ଶିରେ ଘେନି ବୁଲୁଥିବି ତା କଠାଉ । ୪ ।
କବିରବି ଭାଷେ ରସେ । ମନମଥ ରତିତ୍ରାସେ ।
ତା ପ୍ରେମସାଗରେ ଚିତ୍ତ ବୁଡ଼ିଯାଉ । ୫ ।