Chahinchi Matra Sikhanda Lo

ଚାହିଁଛି ମାତ୍ର ଶିଖଣ୍ଡ ଲୋ
(KabisurjyaAdatali)
(କବିସୂର୍ଯ୍ୟଆଡ଼ତାଳି)

ସଖି ଚାହିଁଛି ମାତ୍ର ଶିଖଣ୍ଡ ଲୋ । ଘୋଷା ।

ତୁଚ୍ଛା ଅପବାଦେ ଚମକି ପଡ଼ିଛି
ଏ ବ୍ରଜବଜାର ଦାଣ୍ଡ ଲୋ । ୧ ।

ଚିକ୍କଣ ଶ୍ୟାମଳଚନ୍ଦ୍ର ନିକଟକୁ
ଚାଳି ନାହିଁଟି ପହଣ୍ଡ ଲୋ । ୨ ।

ଚୋରି ଯେବେ କରିଥିଲି ମୁଁ ତାଙ୍କରି
ଚୁମ୍ବିଛି କି ଚାରୁ ଗଣ୍ଡ ଲୋ । ୩ ।

ଚେଟୀ ହେଲେ ତାର ବରଷନ୍ତା ମୋର
କ୍ଷୀର ଉପରେ ତ ଖଣ୍ଡ ଲୋ । ୪ ।

ଚଳୁଆଟି ବଡ଼ ମୋ ଘର ଗଉଡ଼
ଶୁଣିଲେ ହେବ ପ୍ରଚଣ୍ଡ ଲୋ । ୫ ।

ଚପରାସି ଚୟ ପେଷି କଂସରାୟ
ନିର୍ଦ୍ଦୋଷେ ନେବ କି ତଣ୍ଡ ଲୋ । ୬ ।

ଅଷ୍ଟଦୁର୍ଗେଶ୍ୱର ଭକ୍ତି ନତଶିର
ଶ୍ୟାମ ପଦକଞ୍ଜେ ମଣ୍ଡ ଲୋ । ୭ ।