Se Gajendra Gati Mote

ସେ ଗଜେନ୍ଦ୍ର ଗତି ମୋତେ
(Kabisurjya— Raga Kanada, Tala Ekatali)
(କବିସୂର୍ଯ୍ୟ— ରାଗ କାନଡ଼ା, ତାଳ ଏକତାଳି)

(Alternate tune in Ananda Kedara, Tripata)
(ଆନନ୍ଦ କେଦାର, ତ୍ରିପଟାରେ ଅନ୍ୟ ପାରମ୍ପରିକ ସ୍ୱର)

ସେ ଗଜେନ୍ଦ୍ର ଗତି ମୋତେ ପ୍ରତି ଦିଶେ ଦିଶିଲା । ଘୋଷା ।

ଏ ଜଗତେ ଭାବ ଯେତେ ନ ରହିଲା ମୋର ଚିତ୍ତେ
ଯେଣିକି ଚାହିଁଲେ ସେ ତ ତାହା ପରି ଦିଶିଲା । ୧ ।

ସହଜେ କାନ୍ତିରେ ତୋରା ଧଇଲେ ନ ଦିଏ ଧରା
ମାର ମାରଗଣ ଗାଢ଼େ ମରମରେ କଷିଲା । ୨ ।

ମୁଁ ତାହାର ପ୍ରୀତି କିଣା ହେବାରୁ ଅଧିକେ ବଣା
ମୃଗାକ୍ଷୀର ବିନା ଆନେ ମନ ମୋ ନ ରସିଲା । ୩ ।

ଅତି ଯତ୍ନ କରି ବଳେ ଶୟନ କରିବା କାଳେ
କ୍ଷଣେ ହେଲେ ନିଦ୍ରା ମୋ ଈକ୍ଷଣକୁ ନ ଦିଶିଲା । ୪ ।

ବୋଲେ ଅଷ୍ଟଦୁର୍ଗେଶ୍ୱର ତା ପାଶୁ ହେବାରୁ ଦୂର
ଦିନକୁ ଦିନ ମଦନ ଜୀବନକୁ ଶୋଷିଲା । ୫ ।