(କବିସୂର୍ଯ୍ୟ— ରାଗ ଲଳିତ, ତାଳ ରୂପକ)
ହରି ତୁଲେ କରିବୁ ଯେ ପ୍ରୀତି ମୋ ଅଭିନ୍ନାରେ
ଧରିଛୁ କେମନ୍ତେ କହ ଧୃତି । ଘୋଷା ।
ଥୋଇ ଯତ୍ନେ ସେ ଶ୍ୟାମଳ ଗାତ୍ର ମୋ ସଖିଟିରେ
ସୀଇଁ ପାରିବୁ କି ନେତ୍ର
ନିତି ତ ସେ ବତ୍ସା ପଛେ ଚଳିବ
ନିମିଷ ତ ଶତ ଯୁଗୁଁ ବଳିବ
କାମାନଳ ତୋ ହୃଦେ ଜଳିବ ମୋ ଦଅଣାରେ
ନେତ୍ରୁ ନୀର ନିରତେ ଗଳିବ । ୧ ।
ପରପୁରୁଷର ସ୍ନେହଭୂତି ମୋ ସଜନୀରେ
ହରବର କରଇ ବହୁତ
ଲାଗେ ପରେ ସ୍ନେହ ପରବଧୂର
ଚାରୁ ସୁଧା ଧାରାଠାରୁ ମଧୁର
ଈଷିତରେ କରଇ ବିଧୂର ମୋ ବଉଳରେ
ବିଷ ହୁଏ କିରଣ ବିଧୁର । ୨ ।
ବାରେ ଶ୍ୟାମ ଠାରେ ନେତ୍ରାଞ୍ଚଳ ମୋ ଦ୍ୱିତୀୟାରେ
ସଲୀଳେ କଲି ମୁଁ ଚଞ୍ଚଳ
ଥାଉ ଆଉ ବଡ଼ ସୁଖ ବିଭବ
ଯାଉ ଯାଉ କଷ୍ଟେ ରହିଲା ଜୀବ
ତାହା ଜାଣେ ଏକା ମୋ ମନୋଭାବ ମୋ ସଙ୍ଗାତରେ
ଯାହା ହୋଇଛି ମୋ ଅନୁଭବ । ୩ ।
ନୂଆ ଭୁଆଷୁଣୀ ସେ ନିପଟ ମୋ ମିତଣୀରେ
ଚାହିଁ ଚାହିଁ କେଳି ଚିତ୍ରପଟ ।
ଅରିଷ୍ଟେ ଯେ ହେତୁ ବତୀବଧର
ଅଙ୍ଗୁଳି ଶିଖେ ଯେ ଧଇଲା ଧର
କି ସେ ରଖିବ ନବ ପୟୋଧର ମୋ କେତକୀରେ
ଖଣ୍ଡ ପରି ଖଣ୍ଡିବ ଅଧର । ୪ ।
ନିଶି ନିଦ ନ ଜାଣିବ ଆଖି ମୋ ମରୁଆରେ
ବିସିନୀ ଦଳରେ ଯିବୁ ଲାଖି ।
ନବନୀତରୁ ଯେହୁ ସୁକୁମାର
ବିନ୍ଧିବ କି ଦଶ ଇଷୁକୁମାର
ହସୁଥିବ ଯଶୋଦା ସୁକୁମାର ମୋ ମୋହନାରେ
ନାଚି ତଟେ ଅର୍ଯ୍ୟମା ଜେମାର । ୫ ।
ଚିତ୍ତକୁ ଯେ ଆସିବ ତା କର ମୋ ନିଆଳିରେ
ଆଳି ଆଳି ହେଲେ ମୁଁ ଚାକର ।
ଫଳିଗଲା ନିକି ବାଞ୍ଛା ସତେ
କଳିବାକୁ ଭବ ପଚାରୁ ମୋତେ
ତୋ ତରସ ପୂରୁ ଶ୍ୟାମ ରତେ ମୋ ସଙ୍ଗିନୀରେ
ଅଷ୍ଟଦୁର୍ଗପତି ବୋଲେ ଗୀତେ । ୬ ।