Hoithare Besa Kunjaku Jibu Para

ହୋଇଥାରେ ବେଶ କୁଞ୍ଜକୁ ଯିବୁ ପରା
(Gourahari— Raga Sindhu Bhairabi, Tala Rupaka)
(ଗୌରହରି— ରାଗ ସିନ୍ଧୁଭୈରବୀ, ତାଳ ରୂପକ)

ହୋଇଥାରେ ବେଶ କୁଞ୍ଜକୁ ଯିବୁ ପରା
ଦେଇଛନ୍ତି ସଙ୍କେତ ସେ ମୁରଲୀଧରା । ଘୋଷା ।

କାମ ଚାମରକୁ ଜିଣିବାର କୁନ୍ତଳକୁ ବେଣୀ
ଯତନେ ସଜାଡ଼ି ଖଞ୍ଜି କେତକୀଝରା । ୧ ।

କଞ୍ଜ ଖଞ୍ଜରୀଟ ନେତ୍ରଯୁଗଳେ କରି ରଞ୍ଜିତ
ସ୍ମର କାଣ୍ଡ ମାର୍ଗ ତୁଲ୍ୟ ଅଞ୍ଜନ ଗିରା । ୨ ।

ଉଚ୍ଚ କୁଚଯୁଗେ ଚିତ୍ର ଲେଖି ମୃଗନାଭି ପତ୍ର
ଉରରେ ଲମ୍ବାଇ ସ୍ଥୂଳ ମୁକୁତାହାରା । ୩ ।

ଭଜ ଆଜ ଶ୍ୟାମ ପାଶେ ପିନ୍ଧି ନୀଳଚେଳ ତୋଷେ
ପ୍ରତି ଅଙ୍ଗ ଆଭରଣରେ କରି ତୋରା । ୪ ।

ଗୌରହରି ଭାଷେ ଗୀତେ ଦୂତୀ ବୋଇଲେ ସୁରତେ
କାନ୍ତ ସଙ୍ଗରେ ମଜ୍ଜିବୁ ନାଗରୀହୀରା । ୫ ।