More Ehi Anugraha Kara He Radhabara

ମୋରେ ଏହି ଅନୁଗ୍ରହ କର ହେ ରାଧାବର
(Gourahari— Raga Bichitra Kamodi, Tala Adatali)
(ଗୌରହରି— ରାଗ ବିଚିତ୍ର କାମୋଦୀ, ତାଳ ଆଡ଼ତାଳି)

ମୋରେ ଏହି
ଅନୁଗ୍ରହ କର ହେ ରାଧାବର । ଘୋଷା ।

ଅନେକ ଜନ୍ମରୁ ମୁହିଁ ସତ୍ସଙ୍ଗ ତ କରି ନାହିଁ
ବିଷୟା ବିଷକୁ ପିଇଦେଇଛି ହେ ଭାବଗ୍ରାହୀ
କିପରିରେ । ହେବିଟି ଉଦ୍ଧାର ହେ । ୧ ।

ଆନ ଉପାସନା ବାର ଛାଡ଼ି କେବଳ ତୁମ୍ଭର
ଚରଣକଞ୍ଜେ କିଙ୍କରପଣେ ଦିନ ଯାଉ ମୋର
ଏହି ବାଞ୍ଛା । ଏକା ହେଉ ସାର ହେ । ୨ ।

ଏକାନ୍ତରେ ବସି ଭକ୍ତି କରୁଥିବି ବହି ପ୍ରୀତି
ଶୁଦ୍ଧ ଭାବନାରେ ଶାନ୍ତି ହେଉଥିବ ସଦା ମତି
କାମନା ହୃଦରୁ କରି ଦୂର ହେ । ୩ ।

ବ୍ରଜେ ବ୍ରଜେନ୍ଦ୍ରକୁମର ବିନା ଚିତ୍ତେ ସ୍ମରିବାର
ନୋହୁ ଜନ୍ମ ଜନ୍ମାନ୍ତର ଦେବ ମାତ୍ର ଏହି ବର
ମାଗୁଅଛି । ହେବ ଅଙ୍ଗୀକାର ହେ । ୪ ।

ଅନିତ୍ୟ ତ ଏ ଶରୀର ଅଟେ କିପରି ତୁମ୍ଭର
ନାମକୁ ମୁଖେ ଉଚ୍ଚାର କରି ହୋଇଯିବି ପାର
ଗୌରହରି । କହେ ଯୋଡ଼ି କର ହେ । ୫ ।