Ke Bhajana Karu Kahaku

କେ ଭଜନ କରୁ କାହାକୁ
(Gourahari— Raga Dhanasri, Tala Khemata)
(ଗୌରହରି— ରାଗ ଧନାଶ୍ରୀ, ତାଳ ଖେମଟା)

କେ ଭଜନ କରୁ କାହାକୁ
ମୋ ମନ ମଜ୍ଜିଲା କୃଷ୍ଣପଦକୁ । ଘୋଷା ।

ପୁରନ୍ଦରମଣି ଜିଣା ବରନ
କେବଳ ମାତ୍ର ମୋହର ଶରଣ
ଶ୍ରୀରାଧାଗୋବିନ୍ଦ ଦୁହିଁଙ୍କ ବିନାରେ
ସ୍ମରଣେ ଆଣିବି ନାହିଁ ଚିତ୍ତକୁ । ୧ ।

ନବୀନ କିଶୋର ଶ୍ୟାମସୁନ୍ଦର
ଚରଣ ଯୁଗଳେ ନିତ୍ୟ କିଙ୍କର
-ପଣେ ଏକା ଦିନ ଯିବ ଏହି ମନ
ବାଞ୍ଛା କରିଅଛି ପୂର୍ଣ୍ଣ ହେବାକୁ । ୨ ।

ପ୍ରକାଶ କରିବା କଥା ଏ ନୋହେ
ସ୍ମରଣା କରୁଥିବି ମାତ୍ର ସ୍ନେହେ
ବାହ୍ୟ ଭିତରେ ଯେ କରନ୍ତି ସଞ୍ଚାର
ସେ ଜାଣନ୍ତୁ ଏକା ମୋର ନିଷ୍ଠାକୁ । ୩ ।

ନିନ୍ଦା ବନ୍ଦନାରେ କି ହେବ ଫଳ
ଦୋଷ ମାତ୍ର ସିନା ହୋଇବ ଠୂଳ
ଜାଣି ଜାଣି କେଉଁ କାରଣେ ଅନଳ
ଆଣି ବଢ଼ାଇ ଘେନିବି କରକୁ । ୪ ।

କହେ ଗୌରହରି ପ୍ରତି ଜନ୍ମରେ
ଏହି ଅନୁକମ୍ପା ଥାଉ ମୋ ଠାରେ
ମୋ ପରିରେ ହେଲେ ଜଣେ ପତିତରେ
ଅଛି ବୋଲି କେ ନେବ ବଦନକୁ । ୫ ।