Ja’a Ja’a Ahe Braja Lampata Nataraja

ଯାଅ ଯାଅ ଆହେ ବ୍ରଜଲମ୍ପଟ ନଟରାଜ
(Gourahari— Raga Malabagouda, Tala Jhampa)
(ଗୌରହରି— ରାଗ ମାଳବଗୌଡ଼ା, ତାଳ ଝମ୍ପା)

ଯାଅ ଯାଅ ଆହେ ବ୍ରଜଲମ୍ପଟ ନଟରାଜ
ଭୁଲି ଆସିଲକି ପଥ ଏ ନୁହେଁ କେଶର କୁଞ୍ଜ । ଘୋଷା ।

କେଡ଼େ ଭାଗ୍ୟ ଆଜ ଦିନ ଏଡ଼େ ସକାଳୁ ବଦନ ।
ଦେଖିବା କ୍ଷଣି ନୟନ ସାର୍ଥ ହୋଇଗଲା ଜାଣ । ୧ ।

ନିଶିଯାକ ଉଜାଗର ହୋଇ ଥିଲାକି ତୁମ୍ଭର ।
ଘୁମାଉଛ ତ ନାଗର ପଡ଼ିବାକୁ ନାହିଁ ଡର । ୨ ।

ପଲ୍ୟଙ୍କ ପରେ ସତ୍ୱର କ୍ଷଣେ ସୁଖେ ନିଦ୍ରା କର ।
ଶ୍ରୀଅଙ୍ଗ ଶ୍ରମ ଶୀକର ହୋଇଯିବ ସବୁ ଦୂର । ୩ ।

ମୋ ପାଶେ ଆସିଲ ବୋଲି ଶୁଣିଲେ ସେ ଚନ୍ଦ୍ରାବଳୀ ।
ଦୁଇ କୁଳରୁ ଉଚ୍ଛୁଳି ଯିବ ହେ ବ୍ରଜମଉଳି । ୪ ।

ନରେଶ ଗଉରଚନ୍ଦ୍ର ଗଜପତି କହେ ତାର ।
ଦୁଃଖ ହେଲେହେ ଅପାର ବୁଡ଼ିବ ଭେଳା ତୁମ୍ଭର । ୫ ।


Also spelt Jaa Jaa Ahe Braja Lampata Nataraja, Ja Ja Ahe Braja Lampata Nataraja.