Apurba Dekhili Aja Re

ଅପୂର୍ବ ଦେଖିଲି ଆଜରେ
(Upendra Bhanja— Raga Sankarabharana, Tala Ekatali)
(ଉପେନ୍ଦ୍ର ଭଞ୍ଜ— ରାଗ ଶଙ୍କରାଭରଣ, ତାଳ ଏକତାଳି)

ଅପୂର୍ବ ଦେଖିଲି ଆଜରେ ସଜନୀ
ତ୍ରଇଲୋକ୍ୟ ଜିଣି ତେରେଛ ଚାହାଣୀ
ତ୍ରିଭଙ୍ଗିମା ଠାଣି ଫୁଟି ଦିଶେ ତେଜ । ଘୋଷା ।

ଅଗସ୍ତିଙ୍କ ତାତ ସଙ୍ଗତରେ ନେଲି
ସାତସୁତା ତଟେ ପ୍ରବେଶ ହୋଇଲି
ଏଗାରରେ ବନ ଆସନ୍ତେ ସଦନ
ପଥରେ ଦେଖିଲି ସେ ରସିକରାଜ । ୧ ।

ଦେଖିଲା ବେଳକୁ ତ୍ରିଭଙ୍ଗୀରେ ଛିଡ଼ା
ଦୁଇସୁତ କଲା ଦ୍ୱିଗୁଣରେ ପୀଡ଼ା
ଚନ୍ଦ୍ରସୁତ ଥିଲା କାହିଁ ହଜିଗଲା
ଲାଜ ପାଇଗଲା ବିରାଟ ତନୁଜ । ୨ ।

ଶୈଳସୁତାପତି ସୁତର ବାହନ
ପୁଚ୍ଛ ମସ୍ତକରେ ଦିଶେ ଶୋଭାବନ
ସତାଇଶପତି ସଙ୍ଗରେ ଥିବାରୁ
ଦୂରୁ ଦେଖି ସଖି ପାଇଲି ମୁଁ ଲାଜ । ୩ ।

ଆଠ ପାଞ୍ଚ ଧରି କହୁଅଛି ତୋତେ
ଚାରିସୁତା ଭ୍ରାତ ଆଣିଦେବୁ ମୋତେ
ଉପଇନ୍ଦ୍ର ଭଣି ରାଧା ବାଣୀ ଶୁଣି
ମନ ସୂତ୍ରେ ଗୁଣି ଦୂତୀ ହେଲେ ସଜ । ୪ ।