Rakhila Mana Bimbadhari Dhari Re

ରଖିଲା ମନ ବିମ୍ବାଧରୀ ଧରିରେ
(Upendra Bhanja— Raga Krusna Kedara, Tala Rupaka)
(ଉପେନ୍ଦ୍ର ଭଞ୍ଜ— ରାଗ କୃଷ୍ଣକେଦାର, ତାଳ ରୂପକ)

ରଖିଲା ମନ ବିମ୍ବାଧରୀ ଧରିରେ । ଘୋଷା ।

ରମଣୀ ସେ କାହାର । ନୂଆ ହୋଇ ବାହାର ।
ଗତି ମନ୍ଥରେ ନିନ୍ଦା କରି କରୀରେ । ୧ ।

ରସାଣିଲା ହାଟକ । ପରି କାନ୍ତି ଝଟକ ।
ଛବିକି ନିକି ଅପସରୀ ସରିରେ । ୨ ।

ରଦବାସେ ପ୍ରକାଶ । ଝଟକ ମୃଦୁହାସ ।
ପଲକ ତାକୁ ଅନୁସରି ସରିରେ । ୩ ।

ରଙ୍ଗେ ନେତ୍ର କୁଞ୍ଚିତ । ଢାଳୁ କି ଆଣି କୁନ୍ତ ।
ଦେଲା ମରମେ ସୁକୁମାରୀ ମାରିରେ । ୪ ।

ରହନ୍ତି ମୁଁ ସେବାରେ । ଏତେ ଜଣାନ୍ତି ବାରେ ।
ସଙ୍ଗତେ ଥିଲେ ଅନୁଚାରୀ ଚାରିରେ । ୫ ।

ଉପଇନ୍ଦ୍ର କହଇ । ଲଭିବା ଯୋଗ ନାହିଁ ।
ମଲିଟି ହେଲା ହରଅରି ଅରିରେ । ୬ ।