(ଉପେନ୍ଦ୍ର ଭଞ୍ଜ— ରାଗ ମୁଖାରୀ, ତାଳ ଏକତାଳି)
କଳହାନ୍ତରିତା
ସରୋଷ ହେଲି ସଖୀ ମୁଁ ହୁଡ଼ିଲି
ସଭରମ ହୋଇ କାନ୍ତେ କି କରମ କଲି । ଘୋଷା ।
ସାରହାର ସେ ତାହାର କଣ୍ଠରୁ କରି ବାହାର
ଗଳାରେ ଦେଉ ମୋହର କର ଫିଙ୍ଗିଦେଲି । ୧ ।
ସ୍ମରଶର ତେତେବେଳେ ସ୍ତନ ବିନ୍ଧିଲା ମୋ କୋଳେ
ଧରୁ ପଛେ କରି ତଳେ ଖସି ଯେ ବସିଲି । ୨ ।
ସନ୍ତାପରୁ କି କାରଣ ବୋଲି ଧରି ମୋ ଚରଣ
ମାଗୁଥିଲେ ସେ ଶରଣ ଦେଲି କମ୍ପା ପେଲି । ୩ ।
ସେ ନିରାଶ ମୋର ଚାହିଁ ଯାଇ ନିଃଶ୍ୱାସ ପକାଇ
ଦ୍ୱାରେ ଦଣ୍ଡେ ଥିଲେ ରହି ତେବେ ନ ଚାହିଁଲି । ୪ ।
ସୁରସେ ଉପେନ୍ଦ୍ର କହି କଳହାନ୍ତରିତା ଏହି
ବୋଲେ ବନ୍ଧୁକୁ ତୁ ସହି ନ ବୋଧିଲେ ମଲି । ୫ ।