E Ghana Kalare Kanta

ଏ ଘନ କାଳରେ କାନ୍ତ
(Upendra Bhanja— Raga Gouda, Tala Tripata)
(ଉପେନ୍ଦ୍ର ଭଞ୍ଜ— ରାଗ ଗୌଡ଼ା, ତାଳ ତ୍ରିପଟା)

ଏ ଘନ କାଳରେ କାନ୍ତ । କରି ଯା ଗଲେ ଏକାନ୍ତ ।
ସାହା ପାଇ ରତିନାହା ମରମେ ଦହେ ସନ୍ତତ । ଘୋଷା ।

ବିଦେଶେ ନାଗରମଣି । ରହିଲେ କି ମନେ ଗୁଣି ।
ଶିଖାଇ କେଉଁ ରମଣୀ ରଖିଲା ମୋ ଗୁଣମଣି ।
(ପଡ଼ି)
କାମଦୂତ ଦର୍ଦ୍ଦୁର ଉଚ୍ଛୁକ ହେଲେ ଘୋର
ଶିଖରେ ଶିଖେ ଶିଖୀ ସୁଖେ କଲେ ବିହାର
ବିରହୀ ମାରିବାକୁ ହୋଇଛନ୍ତି ବାହାର
ଏକେ ଅବଳା ନାରୀ ସାହା କେ ଅଛି ମୋର । ୧ ।

ନଦୀମାନେ ହେଲେ ବୃଦ୍ଧି । ଦିଶୁନାହିଁ କିଛି ବୁଦ୍ଧି ।
କଷ୍ଟ ବଳିଲା ଅବଧି ବାମ ହେଲେ ମୋର ବିଧି ।
(ପଡ଼ି)
ଆଷାଢ଼ ପାଇ ଘନ ବରଷୁଅଛି ବନ
ଅତି ପ୍ରବଳ ହୋଇ ଝାଙ୍କେ ଝଞ୍ଜାପବନ
କାଳ କଣ୍ଟକମାନ ରଟନ୍ତି ରାତ୍ର ଦିନ
କେମନ୍ତେ ପ୍ରାଣବନ୍ଧୁ ବିନା ବଞ୍ଚିବି ଦିନ । ୨ ।

ସାରସେ ତେଜିଲେ ସର । ଗଲେ ମାନସରୋବର ।
ପ୍ରବାସୀ ପ୍ରବାସୁଁ ଦୂର କରିଗଲେ ଯେଝା ପୁର ।
(ପଡ଼ି)
ଝିଙ୍କ ଝିଙ୍କାରୀ ମେଳ କରନ୍ତି କୋଳାହଳ
ଅତି ପ୍ରବଳ ହୋଇ ଜଳେ ବିରହାନଳ
ଅମ୍ବୁଜ ତେଜି ଅଳି ମାଳତୀ ସଙ୍ଗେ ମେଳ
ହରାଇବି ଜୀବନ ସଖୀ ଭକ୍ଷି ଗରଳ । ୩ ।

ରମଣୀ ରମଣ ଅଙ୍କେ । ବସାଇ ରତ୍ନପଲଙ୍କେ ।
ହାସ ରସ କଉତୁକେ ପୁହାଇ ନିଶି ନିଃଶଙ୍କେ ।
(ପଡ଼ି)
ମୋର କରମ ହୀନ ବୃଥା ଏ ଯଉବନ
ଏକାଳେ ଏକା କରି କଲେ ମନ୍ଦିର ଶୂନ୍ୟ
ବରସାରସବତୀ ବରଷା ଶେଷେ ଧନ
ଆସିବେ ଉପଇନ୍ଦ୍ର ବୋଧି କହେ ବଚନ । ୪ ।