(ଉପେନ୍ଦ୍ର ଭଞ୍ଜ— ରୂପକ)
ନଟନାଗର ହେ
ଏ ରୀତି କାହୁଁ ଶିଖିଲ
ଚନ୍ଦ୍ର କୁମୁଦ ପରାୟେ ପ୍ରୀତି କରି
ବେଳକୁ ଭାସ୍କର ହେଲ । ଘୋଷା ।
ଜଣାଗଲା ତୁମ୍ଭ ପ୍ରୀତି କରିବାର
ଆହେ ରସିକ ନାଗର
ଶ୍ରୀକରେ ଲଗାଇ ପୀରତି ଲତାକୁ
ମୂଲରୁ ଯା କାଟିଦେଲ । ୧ ।
ଜଣା ନଥିଲା ତ ଏପରି କରିବ
ବୋଲି ହେ ନାଗରବର
ଅମ୍ବୁଜ ଅଧରୁ ସୁଧା ଚଖାଇଣ
କଲ କୁଳିଶ ପ୍ରହାର । ୨ ।
ନାଗରୀମାନଙ୍କୁ ପ୍ରୀତିରେ ଭୁଲାଇ
ନୀର୍ତ୍ତିଚନ୍ଦ୍ର ବୋଲାଇଲ
ଦ୍ୱିତୀୟା ନିଶି ପରାୟେ ଉଦେ ହୋଇ
ପ୍ରତିପ ନିଶି ଯା ହେଲ । ୩ ।
ଉପଇନ୍ଦ୍ର ଭଣି ଶୁଣରେ ରମଣି
ନ କର ମୋରେ ନିରାଶ
ନାନା ପୁଷ୍ପେ ଚୁମ୍ବେ ଭ୍ରମର ଯେସନେ
ମୁହିଁ ତ ଅଟେ ପୁରୁଷ । ୪ ।