(ଉପେନ୍ଦ୍ର ଭଞ୍ଜ— ରାଗ ବିଚିତ୍ର କାମୋଦୀ, ତାଳ ଆଡ଼ତାଳି)
କହ କି କରିବି
ବୁଦ୍ଧି ଦିଶୁନାହିଁ ଗୋ ପ୍ରିୟସହି । ଘୋଷା ।
ନାହିଁ ତ ମୋଠାରୁ ଦୁଃଖୀ । କେଉଁ ଦୋଷ ମୋର ଦେଖି ।
ରହିଲେ ବନ୍ଧୁ ଉପେକ୍ଷି । ମନ କେ ମୋହିଲା ସଖୀ ।
ତା ପୀରତି । ଫାନ୍ଦରେ ପକାଇ ଗୋ ପ୍ରିୟସହି । ୧ ।
ଶେଯାଇ କୁସୁମ ଶେଯ । ସିଞ୍ଚି ତହିଁ ବିଧୁରଜ ।
କୁଞ୍ଚି ଝୀନବାସ ଆଜ । ସଞ୍ଚିଲି ବରଜି ଲାଜ ।
ମୁଞ୍ଚି ମୋତେ । ଘୁଞ୍ଚିଲେ କିପାଇଁ ଗୋ ପ୍ରିୟସହି । ୨ ।
ଆସିବେ ବୋଲି ନାଗର । ମଣ୍ଡିଥିଲି କେଳିପୁର ।
ଜାଳିବସିଲି ଜାଗର । ନିଶି ହୋଇ ଉଜାଗର ।
ଶୋକଜଳେ । ଦେଲେ ସେ ଭସାଇ ଗୋ ପ୍ରିୟସହି । ୩ ।
କଲି ତା ପ୍ରୀତିରେ ଆଶା । ଲଭିଲି ମୁଁ ଏତେ ଦଶା ।
ନୟନ ତ ହେଲା କଷା । ହେଲା ଯା ଭଗାରିହସା ।
ରସା ପରେ । ଅକୀର୍ତ୍ତି ବସାଇ ଗୋ ପ୍ରିୟସହି । ୪ ।
ଶ୍ରୀମତୀ ବିନୟ ଶୁଣି । ଦୂତୀ ଭାଷେ ପ୍ରୀତି ବାଣୀ ।
ତେଜ ବିମନ ରମଣୀ । ଉପଇନ୍ଦ୍ର ଭଞ୍ଜ ଭଣି ।
ଭେଟାଇବି । ସନ୍ତାପ ତୁଟାଇ ଗୋ ପ୍ରିୟସହି । ୫ ।