Srimati Sripati Brundabane Keli Rachile

ଶ୍ରୀମତୀ ଶ୍ରୀପତି ବୃନ୍ଦାବନେ କେଳି ରଚିଲେ
(Upendra Bhanja— Raga Natanarayana, Tala Ekatali)
(ଉପେନ୍ଦ୍ର ଭଞ୍ଜ— ରାଗ ନଟନାରାୟଣ, ତାଳ ଏକତାଳି)

ଶ୍ରୀମତୀ ଶ୍ରୀପତି ବୃନ୍ଦାବନେ କେଳି ରଚିଲେ । ଘୋଷା ।

ବୃନ୍ଦାବନ ଶୋଭାତରୁ ତରୁ ତଳେ କଳ୍ପତରୁ
ତରୁଣୀ ରତନତରୁ ତରଳାକ୍ଷୀ ମାତିଲେ । ୧ ।

ସାରଙ୍ଗରଦ ପଲଙ୍କେ ସାରଙ୍ଗ ପଙ୍କିଳ ପଙ୍କେ
ସାରଙ୍ଗମୁଖୀ ସାରଙ୍ଗ ସାରଙ୍ଗରେ ମାତିଲେ । ୨ ।

କମଳ ଦେଶେ କମଳ କମଳେ କମଳ ମାଳ
କମଳମୁଖୀ କମଳ କମଳରେ ମାତିଲେ । ୩ ।

ହରି ପରେ କରୀ ଘେନି ହରଷେ ମୃଗଲୋଚନୀ
ହରିରିପୁ ରିପୁହର ହର ସେବା ବାଞ୍ଛିଲେ । ୪ ।

ଅଶେଷ ରସରେ ରସି ରସାଇ ରସିକ ରସି
ହରଷରେ ରସି ରସେ ଉପଇନ୍ଦ୍ର ଭାଷିଲେ । ୫ ।