Dekhili Sri Krusnaku Go

ଦେଖିଲି ଶ୍ରୀକୃଷ୍ଣକୁ ଗୋ
(Upendra Bhanja— Raga Kalyana, Tala Ekatali)
(ଉପେନ୍ଦ୍ର ଭଞ୍ଜ— ରାଗ କଲ୍ୟାଣ, ତାଳ ଏକତାଳି)

ଦେଖିଲି ଶ୍ରୀକୃଷ୍ଣକୁ ଗୋ ଆଜ ମୁଁ ସଖୀ । ଘୋଷା ।
ଯମୁନା ଘଟୁଆରୀ ଲଟ ଲବଣୀ ଚୋରି
ଗୋପୀଙ୍କ ମନୋହାରୀ ପୀତଦୁକୂଳିଆଙ୍କୁ । ୧ ।

ନାସେ ସିନ୍ଧୁ ଫଳ ଶୋହେ କାମକୁ ମୋହେ
ଘନେ ଶୁକ୍ର ଉଦୟେ
ହାର ପଦକ ଦେହେ ମଣି କଙ୍କଣ ବାହେ
ନୂପୁର ପଦ୍ମ ପାୟେ ରତ୍ନ ମୁକୁଟିଆକୁ । ୨ ।

ସୁନ୍ଦରବର କାଳିଆ ବନମାଳିଆ
କଦମ୍ବ ତରୁତଳିଆ
ମକର କୁଣ୍ଡଳିଆ ବତ୍ସା ପ୍ରତିପାଳିଆ
ସେବତୀ ଚୂଳିଆକୁ । ୩ ।

ଗୋକୁଳ ରାଜନନ୍ଦନ ନାଗରୀ ପ୍ରାଣ
ଗୋପୀଙ୍କ ହୃଦଚନ୍ଦନ
କାଳୀ ବିଷ ଖଣ୍ଡନ ବୃନ୍ଦାବନ ମଣ୍ଡନ
ବ୍ରହ୍ମା ଗର୍ବଗଞ୍ଜନ ଘନ ଶ୍ୟାମଳିଆକୁ । ୪ ।

ଦେଖିଲା ବେଳୁ ନୟନ ଚନ୍ଦ୍ରବଦନ
ଯାହା ହେଉଛି ମନ
ଚିତ୍ତ ମୋ ଛନଛନ ଉଡ଼େ ତାଠାକୁ ମନ
ଯୁବ ରାଜ ନନ୍ଦନ ଧ୍ୟାୟେ ସେହି ରୂପକୁ । ୫ ।

Also spelt Dekhili Sri Krushnaku, Dekhili Sri Krusnanku, Dekhili Sri Krushnanku