Asi Ghana Kala Hoila Re

ଆସି ଘନ କାଳ ହୋଇଲା ରେ
(Upendra Bhanja— Raga Kamodi, Tala Tripata)
(ଉପେନ୍ଦ୍ର ଭଞ୍ଜ— ରାଗ କାମୋଦୀ, ତାଳ ତ୍ରିପଟା)

ଆସି ଘନ କାଳ ହୋଇଲା ରେ
ଘନକେଶୀ ସଙ୍ଗ ନୋହିଲା ରେ । ଘୋଷା ।

ବରହୀ ଏକାଳେ ବିରହୀ ହୋଇ
ବିଦେଶେ ରହିଲେ ମୋ ପ୍ରାଣସହି
ପର ପରା କରି ତା ମୁଖ ଚାହିଁ
ଭାଙ୍ଗି ବାଣୀ ତନୁ ଦହିଲା ରେ । ୧ ।

ଆସିଲା ବେଳକୁ ରମଣୀମଣି
ଧରି ନ ଛାଡ଼ିଲା ମୋ ବେନି ପାଣି
ଦିନ ସରିବ କି ତା ଗୁଣ ଗୁଣି
ଝୁରି ଝୁରି ନିଶି ପାହିଲା ରେ । ୨ ।

ଚଉଷଠି ବନ୍ଧ ଜାଣେ ରମଣୀ
ଚତୁର୍ମାସ୍ୟା ଦେଖି ସରିଯିବଣି
ଆଳୀ ହୃଦୟରେ ଆଉଜିବଣି
ମାର ଶରେ ତନୁ ଦହିଲା ରେ । ୩ ।

ଦାରୁଣ ପଣେ ଅଇଲି ପାଶୋରି
କାରୁଣ୍ୟ କଲେ କି ପାଇବି ଗୋରୀ
ଭଣେ ଉପଇନ୍ଦ୍ର ଭଞ୍ଜ ବିଚାରି
ବଇରାଗୀ ହେବି ବୋଇଲା ରେ । ୪ ।