(ମୋହନ ଗୋସେଇଁ— ରାଗ ଶଙ୍କରାଭରଣ, ତାଳ ଏକତାଳି)
କାହିଁକି ସଖୀ ବଳାଉ ମୋତେ ଗୋ ।
ଜାଣିଛି ରେ ସଖୀ ସେ ଶଠ କାଳିଆ
ଦଗାଦାର ହରି ନାହିଁ ତାଙ୍କୁ ପରତେ । ଘୋଷା ।
କାହା କୁଞ୍ଜେ ବସି ପାହିଗଲା ନିଶି
ମୋ ପୁରେ ନ ଆସି କାହା ସଙ୍ଗେ ରସି
ବ୍ରଜପୁର ଶଶୀ ଅଟେ ଅବିଶ୍ୱାସୀ
ପରନାରୀ ନାଶି ଦୟା ନୋହିଲା ଚିତ୍ତେ । ୧ ।
ସେ ମୁରଲୀଧର କଲେ ମୋତେ ପର
ଜାଣିଲି ଏଥର ହୃଦୟ ତାଙ୍କର
ସ୍ୱେଦ ଜରଜର ଅଙ୍ଗ ଥରଥର
ନୟନରୁ ନୀର ବହିଲା ଅନୁବ୍ରତେ । ୨ ।
ପରାଣ ତେଜିବି ନିକୁଞ୍ଜେ ନ ଯିବି
ତାଙ୍କ ପ୍ରୀତି ଭାବ ଆଉ ନ ଭାବିବି
ବ୍ରଜପୁର ରବି ନନ୍ଦସୁତ ଛବି
ମୁଖେ ନ ଆଣିବି ନ ଦେଖିବି ନେତ୍ରେ । ୩ ।
ଶ୍ରୀମତୀଙ୍କ ପାଣି ଧରି କେ ସଙ୍ଗିନୀ
ବୋଲେ ଗୋ ମିତଣୀ ନୁହଁ ଗୋ ମାନିନୀ
ମୋହନ ଦୟିନୀ ଶୁଣ ଠାକୁରାଣୀ
ତୁମ୍ଭ ଚିନ୍ତାମଣି ଚନ୍ଦ୍ରାବଳୀ ହସ୍ତେ । ୪ ।