(ଅଜ୍ଞାତ କବି— ରାଗ ଶଙ୍କରାଭରଣ, ତାଳ ଏକତାଳି)
ପଙ୍କଜ ମୁଖୀ ରେ
ଅଙ୍କମଣ୍ଡନା ମୋର ରଙ୍କ ରତନହାର
ଟଙ୍କଧରାରି ଆତଙ୍କରୁ ରଖ ମୋରେ । ଘୋଷା ।
ମହୀକି କାହିଁ ଚାହିଁ ରହି ଅଛୁରେ ସହି
ବହିଯାଉଛି ନୀର ଧାରକୁ ଧାର ହୋଇ
(ପଡ଼ି)
ଗଣ୍ଡେ ମଣ୍ଡି ପାଣି ପଣ୍ଡିତା ଶିରୋମଣି
ଚାଣ୍ଡରେ କାହୁଁ ଏ ଦୁର୍ଦ୍ଦଣ୍ଡ ବିହିଲୁ ଆଣି
ତାଣ୍ଡବପ୍ରିୟ ପର କାଣ୍ଡରେ ଶର ଟାଣି
ଖଣ୍ଡ ଖଣ୍ଡ ପିଣ୍ଡ ଦଣ୍ଡେ କରିବାରେ । ୧ ।
କେଶ ବାସରେ ତୋର ଲେଶେ ନାହିଁ ଆଦର
କେଶ ମୁକୁଳା ଶେଷମୋହିନୀ ରେ ମୋହର
(ପଡ଼ି)
ଦାସ ଦୋଷକୁ ଏ ପ୍ରାସ ଅସୁନ୍ଦର
କାଶହାସିନୀରେ ରୋଷକୁ ପରିହର
ନାଶ କଲେ ଯଶ ଲେଶ ଅଛିକି ତୋର
ଆସ ଆସ ରାସରଙ୍ଗିନୀ ପାଶେ ମୋର । ୨ ।