(କାହ୍ନୁ— ରାଗ ଭୈରବୀ, ତାଳ ଝମ୍ପା)
ବରଜି ଦେବିକି ସହି ଅରଜିଲା ଧନକୁ
ବହୁ ଶିବ ସେବି ମୁଁ ଯେ ପାଇଛି ମୋହନକୁ । ଘୋଷା ।
ମୋ ନାମେ କଲଙ୍କ ଢାଳି । କେହି ମାରେ କରତାଳି ।
ଅସତୀ ରାଧା ବୋଲି କେ ରଞ୍ଜାଏ କି ମନକୁ । ୧ ।
କୁଳେ ଦେଇ ଜଳାଞ୍ଜଳି । ପ୍ରୀତି ମୁଁ କରିଛି ଭାଳି ।
ଅପକୀରତିର ମାଳି ପିନ୍ଧିଅଛି ମନକୁ । ୨ ।
ଆଉ ନାହିଁ ଆନ ଗତି । ଏକା ମୋ ପ୍ରାଣ ଶ୍ରୀପତି ।
ବରଜେ କି ଡରି ଛାଡ଼େ ଘନବରନକୁ । ୩ ।
ଯେ ମତେ କହିବ ଯାହା । ଅବଶ୍ୟ କରିବି ତାହା ।
ନିରନ୍ତରେ ଦେଖୁଥିବି ବଂଶୀବଦନକୁ । ୪ ।
ଛାଡ଼ିଅଛି ସବୁ ଆଶା । ଏକା ମୋ ତାକୁ ଭରସା ।
ବୋଲେ ଦୀନ କାହ୍ନୁ ଡର ନାହିଁ ଗୁରୁଜନଙ୍କୁ । ୫ ।