(ଭଗୀରଥ ଦେବ— ରାଗ ଭୈରବୀ, ତାଳ ଖେମଟା)
ମଦାଳସୀ ମନ୍ଦେ ହସି ନେତ୍ର ଢାଳି
ବାରେ ଚାହିଁଗଲା ରେ । ଘୋଷା ।
ଧନ୍ୟ ତା ଶ୍ରୀମୁଖ ଶଶୀ
ଗଗନୁଁ କି ପଡ଼ିଛି ଖସି
ମୋ ଧୈର୍ଯ୍ୟ ଗୁଣକୁ ପ୍ରସାରି ଚିତ୍ତକୁ
ବଳେ ଆକର୍ଷଣ କରୁଥିଲା ରେ । ୧ ।
ଭୂରୁଚାପ ଅଞ୍ଜନ ଗୁଣ
ସନ୍ଧି ତହିଁ କଟାକ୍ଷ ବାଣ
ରୋଷରେ କ୍ଷିପ୍ରରେ ରମଣୀ ମୋ ପରେ
ପଟେ ପଟେ କରି ବିନ୍ଧୁଥିଲା ରେ । ୨ ।
ଭାଲେ ଶୋହେ ଅଳକାପନ୍ତି
ଦିଏ ଯୁବା ଧଇର୍ଯ୍ୟ ମନ୍ଥି
ତଥି ପାଶେ କମ୍ପାଉଛି ଚନ୍ଦ୍ରଝୁମ୍ପି
ମାନସକୁ ଝାମ୍ପି ନେଉଥିଲା ରେ । ୩ ।
ମଲ୍ଲିକଢ଼ି ତଳେ ଝଲକା
ଝଲକାଇ କରଇ ଶଙ୍କା
ତାଟଙ୍କର ଜ୍ୟୋତି ଶୁକ୍ର ବୃହସ୍ପତି
ଜ୍ୟୋତି ମାନ କରି ମୋହୁଥିଲା ରେ । ୪ ।
ସିଂହ ବଂଶାର୍ଣ୍ଣବୁଁ ଉତ୍ପତ୍ତି
ଭଗୀରଥ ଭୂଦେବ ପତି
ବାହାଦୁର ଚନ୍ଦ୍ର ଭାଷେ ଚନ୍ଦ୍ରାନନୀ
ଜମ୍ଭଭେଦୀ ଶିରୀ ଦେଉଥିଲା ରେ । ୫ ।