To Daya Thau Re Dhana

ତୋ ଦୟା ଥାଉ ରେ ଧନ
(Gopalakrusna— Raga Dhanasri, Tala Khemata)
(ଗୋପାଳକୃଷ୍ଣ— ରାଗ ଧନାଶ୍ରୀ, ତାଳ ଖେମଟା)

ତୋ ଦୟା ଥାଉ ରେ ଧନ ହେଲି ମେଲାଣି
ଅରୁଣାଧରୀ ନୟନୁଁ ନ ବୁହା ପାଣି । ଘୋଷା ।

ମୁଖ ଶୁଖାନା ରେ ବାଳୀ ହରିଣେକ୍ଷଣୀ
ଦାରୁଣ ବିହି ବିହିଲା କି ଦଣ୍ଡ ଆଣି । ୧ ।

ଦୂରେ ଥିଲେ ପାଶେ ଅଛି ଥିବୁ ରେ ଜାଣି
ଲେଖି ଲେଖା ପଠାଇବି ସେ ତ ଚିତ୍ରସାରଣୀ । ୨ ।

ମୁଖକୁ ଅନାଇଁ ଥରେ କହରେ ବାଣୀ
ସୁନାଶୀର ସମ୍ପତ୍ତି ତୁ ଲୋଡ଼ୁ ଧରଣୀ । ୩ ।

ଭାଷନ୍ତି ଗୋପାଳକୃଷ୍ଣ ଶୁଣ ରମଣୀ
ସୁମନେ ମେଲାଣି ଦିଅ ଧରୁଛି ପାଣି । ୪ ।