Dhiradhara Mandana Hudilu Re

ଧୀରାଧରା ମଣ୍ଡନା ହୁଡ଼ିଲୁ ରେ
(Artabandhu Dash— Raga Dhanasri, Tala Jati)
(ଆର୍ତ୍ତବନ୍ଧୁ ଦାଶ— ରାଗ ଧନାଶ୍ରୀ, ତାଳ ଯତି)

ଧୀରାଧରା ମଣ୍ଡନା ହୁଡ଼ିଲୁ ରେ
ହୀରା ପଥର ଜ୍ଞାନେ ଛାଡ଼ିଲୁ ରେ । ଘୋଷା ।

ନିର୍ମଳ ମନ୍ଦାକିନୀ ସଲିଳ ମନ୍ଦ ମଣି
ନର୍ଦ୍ଦମା ଜଳ ପୁଣି ଲୋଡ଼ିଲୁ ରେ ।
(ପଡ଼ି)
ଦଣ୍ଡେ ନ ଚାହିଁଲୁ ଚନ୍ଦ୍ର ମଣ୍ଡଳ
ଚଣ୍ଡ ମିହିର କଳପେ କରି ଠୂଳ
ଭାଗ୍ୟେ ନାହିଁ ଭୋଗ ଦିବ୍ୟ ନିର୍ମଳ
ଚାରୁ ଚନ୍ଦ୍ରିକା କିରଣ ସୁଶୀତଳ । ୧ ।

ଶୁଦ୍ଧଶାଳୀ କେଦାର ଛାଡ଼ି ଲୋଡ଼ି ଉଷର
କରଷଣେ ଆଦର ବାଢ଼ିଲୁ ରେ ।
(ପଡ଼ି)
ଚାରୁ ମଧୁ ଋତୁ କାନ୍ତ କୋକିଳ
ମନ୍ଦ କାକଳୀ ଶବଦ ପ୍ରତିକୂଳ
ଶଲ୍ୟ ମଣି କଲୁ ଦିବ୍ୟ ନିର୍ମଳ
କାକ ଡାକକୁ ଆଦରି ହେଲୁ ଭୋଳ । ୨ ।

ମହାମେରୁ ଶିଖର ବିହାର କରିଦୂର
ତଳାତଳେ ନିକର ପଡ଼ିଲୁ ରେ ।
(ପଡ଼ି)
ମୃଦୁ ମଳୟର ପରଶ କୋମଳ
ବାସ ଚନ୍ଦନ ଗନ୍ଧ ପରିମଳ
ମନ୍ଦ ପାଞ୍ଚିଲୁ ବରଜି ସକଳ
ବନ୍ଧୁ କରିନେଲୁ ଆଦରେ ଦାବାନଳ । ୩ ।