Kanta Kari Kali Rajani Sajani

(Padana— Raga Saberi, Tala Tripata)
(ପଦନ— ରାଗ ସାବେରୀ, ତାଳ ତ୍ରିପଟା)

କଣ୍ଟ କରି କାଲି ରଜନୀ ସଜନୀ
ନଇଲେ ମୋ ବଂଶୀଧାରୀ । ଘୋଷା ।

କୁଞ୍ଚି ନୀଳବାସ ହୋଇଥିଲି ବେଶ
ଡକାଇ ମୁଁ ବେଶକାରୀ
ଜାଳି ରତ୍ନଦୀପ ଟାଣି ଚନ୍ଦ୍ରାତପ
ଝରୀରେ ରଖିଛି ବାରି । ୧ ।

ଚୂଆ ଚନ୍ଦନକୁ ଗୋଳି ମୋହନକୁ
ଦିଅନ୍ତା ଏ ପରିଚାରୀ
ଭାଙ୍ଗି ରଖିଥିଲି ଯତ୍ନେ ନାଗବଲ୍ଲୀ
ଭୁଞ୍ଜିବେ କୁଞ୍ଜବିହାରୀ । ୨ ।

କେଉଁ ସୁନ୍ଦରୀର ମନ୍ଦିରେ ସୁନ୍ଦର
ରହିଲେ କିସ ବିଚାରି
କୃଷ୍ଣ ଚିତ୍ତବିତ୍ତ ଚୋରାଇ ନେଲା ରେ
ଧନ୍ୟ ସେ ଚୋରଣୀ ନାରୀ । ୩ ।

ଦେଖୁ ଦେଖୁ ସହି ରାତ୍ର ଗଲା ପାହି
ବିଷେ ତନୁ ମଥା ଘାରି
କହଇ ପଦନ ଆଦରେ ମଦନ
ବିଶେଷେ ହେଲା ଭଗାରି । ୪ ।