Saja Aja Tu Saja Re

ସାଜ ଆଜ ତୁ ସଜରେ
(Artabandhu Dash— Raga Arabhi, Tala Ekatali)
(ଆର୍ତ୍ତବନ୍ଧୁ ଦାଶ— ରାଗ ଆରଭୀ, ତାଳ ଏକତାଳି)

ସାଜ ଆଜ ତୁ ସଜରେ । ରାଜୀବନୟନା ।
ରାଜିବୁ ଯିବୁ କୁଞ୍ଜରେ ।
ମାନ ଗୁମାନ ମାନ ମାନସରୁ ତେଜ
କାଶ ବିକାଶ ହାସ ଧୀରେ ଅଧରେ ସୃଜ । ଘୋଷା ।

କେଶେ କୁସୁମ ସମ୍ଭାଳି । ପରାଣ ଆଳି ।
ଖଞ୍ଜିବୁ ମଞ୍ଜୁଳେ ବାଳୀ ।
ଚାମର ଜିଣି କାନ୍ତି ଚାରୁ ଚିକୁରପନ୍ତି
ଫିଟି ଲୋଟିବ କ୍ଷିତି ତୁଟିବ ଯେବେ ଧୃତି ।
(ପଡ଼ି)
ମାର ଉତ୍ସବରେ ବାରବାର ଧୀରେ
ସାରସାକ୍ଷୀ ମଜ୍ଜି ସାର ଉତ୍ସବରେ
ଛାର ହୃଦଖେଦ ଭାର ଫିନ୍ଦି ଦୂରେ
ଗାର କରଜର ହାର କରିବୁ ଉରେ । ୧ ।

ମୁକୁତା ମୋତି ଭୂଷଣ । ସୁଜାଣ ଜାଣ ।
ପିନ୍ଧିବୁ ବାନ୍ଧିବୁ ଟାଣ ।
ଚେତନା ଛାଡ଼ି ବଳେ ବିଭୋର ହେଲା ବେଳେ
ଅଳଙ୍କାର ଚଞ୍ଚଳେ ଛିଡ଼ି ପଡ଼ିବ ତଳେ । ୨ ।

ପୟରେ ଖଞ୍ଜି ନୂପୁର । ମଞ୍ଜୁ ମଞ୍ଜୀର ।
ରଚିବ ରୁଚିର ସ୍ୱର ।
ଯତ୍ନେ ସଜାଡ଼ି ଭିଡ଼ି ପିନ୍ଧିବୁ ନୀଳଶାଢ଼ୀ
ବୁଦ୍ଧି ନ ଯିବୁ ହୁଡ଼ି ବନ୍ଧୁରେ ଗଲେ ଜଡ଼ି । ୩ ।