Mina Nayana Khinna Hebani Mo Bina

ମୀନନୟନା ଖିନ୍ନ ହେବନି ମୋ ବିନା
(Bhagirathi— Raga Kamodi, Tala Ekatali)
(ଭାଗୀରଥୀ— ରାଗ କାମୋଦୀ, ତାଳ ଏକତାଳି)

ମୀନନୟନା ଖିନ୍ନ ହେବନି ମୋ ବିନା ସେ । ଘୋଷା ।

ନୀରଦ ନୀଳ କୁଣ୍ଡଳୀ ଚଞ୍ଚଳା ରସନା ଚାଳି
ବକାଳି ଦଶନାବଳୀ ସଜନୀ ରେ ।
ବିଷାଇ ଦେଲା ଧରାଳି ମଣ୍ଡୁକ ଅଗୁଁ ତା ଗିଳି
ତାହା ଭେକେ ଜାଣି ଆର୍ତ୍ତେ ରଟିବା ଶୁଣି ।
(ପଡ଼ି)
ଘନଘନ ସ୍ୱନ ଶୁଣି ଛନ୍ନଛନ୍ନ ହେବ ମନ
ମୀନକେତନ ଶରେ ଅପଘନ କମ୍ପନ
ମୁଞ୍ଚିବ ନୟନରୁ ଥନଥନ କରି ବନ
ଭବନ କାନନ ସମାନ ମଣୁଥିବ ମୋ ଧନ । ୧ ।

ଦମ୍ଭୋଳି ବାଦ୍ୟ ବାଜିଲା ସପ୍ତସ୍ୱରେ ବରଷିଲା
କେକୀ ନର୍ତ୍ତକୀ ନାଚିଲା ସଜନୀ ରେ ।
ଡାହୁକ ସ୍ୱନ ମିଶିଲା କାମରାଣ ବିଜେ କଲା
ବିଯୋଗିନୀ କୁଳ ହେଜି ହେଲେ ଆକୁଳ । ୨ ।

ଜାତି କଦମ୍ବ ମାଳତୀପନ୍ତି କନ୍ଦଳୀ ଫୁଟନ୍ତି
ମକରନ୍ଦ ପାନେ ମାତି ସଜନୀ ରେ ।
ଶିଳୀମୁଖ ଝଙ୍କାରନ୍ତି ଶକ୍ରାୟୁଧ ଦେଖି ଭୀତି
ମନେ ମାନସ ଘେନି ସେ ତ ନୂତନା କାମିନୀ । ୩ ।

ଦଣ୍ଡେ ହେବ ଏତେ ସରି ପିଣ୍ଡୁ ଜୀବ ଯା ବାହାରି
ଦଣ୍ଡ ଦଣ୍ଡକେ ଏପରି ସଜନୀ ରେ ।
ଚାଣ୍ଡେ ମରୁଥିବ ଗୋରୀ ଖଣ୍ଡପରଶୁ ପୁଝାରୀ
ଭାଗୀରଥୀ ବୋଲେ ଆହା ଧାତା କି କଲେ । ୪ ।