Ghena Ghena Re Mana

ଘେନ ଘେନ ରେ ମନ
(Gopalakrusna— Raga Madhusri, Tala Jhula)
(ଗୋପାଳକୃଷ୍ଣ— ରାଗ ମଧୁଶ୍ରୀ, ତାଳ ଝୁଲା)

ଘେନ ଘେନ ରେ ମନ
ଶ୍ରୀକୁଣ୍ଡବାସୀଙ୍କର ଶିକ୍ଷାବଚନ । ଘୋଷା ।
ଯାହାଙ୍କର ମଧୁର ସୌନ୍ଦର୍ଯ୍ୟ ଛଟା
ରତି ଗଉରୀ ଲୀଳା ସୌନ୍ଦର୍ଯ୍ୟ ହଟା । ୧ ।
ଯାହାଙ୍କର ସୌଭାଗ୍ୟ ତ୍ରିଲୋକେ ନାହିଁ
ଶଚୀ ଲକ୍ଷ୍ମୀ ଆଦିଙ୍କି ପରା ଭାବଇ । ୨ ।
ଯାହାଙ୍କର ସୁଗୁଣାବଳୀ ଅପାର
ଚନ୍ଦ୍ରାଦି ବ୍ରଜ ଯୋଷା ହେଲେଟି ଦୂର । ୩ ।
ସେହି ଶ୍ରୀ ସ୍ୱାମିନୀଙ୍କି ତୁ ନିରନ୍ତର
କିଙ୍କରୀ ଅଭିମାନେ ଭଜନା କର । ୪ ।
ସୌନ୍ଦର୍ଯ୍ୟ ସଉଭାଗ୍ୟ ସୁଗୁଣବତୀ
ସେ କୃଷ୍ଣପ୍ରିୟା ରାଧା ଦେବେ ସୁଗତି । ୫ ।
ଶ୍ରୀବ୍ରଜେ ବାସ ବାଞ୍ଛା କରି ମାନସ
ଗୋପାଳକୃଷ୍ଣ ହରୁ ତ୍ରିତାପ କ୍ଳେଶ । ୬ ।