Jana Are Mana

ଜାଣ ଆରେ ମନ
(Gopalakrusna— Raga Jayanta, Tala Pahapata)
(ଗୋପାଳକୃଷ୍ଣ— ରାଗ ଜୟନ୍ତ, ତାଳ ପହପଟ)

ଜାଣ ଆରେ ମନ । ଘୋଷା ।
କାମ କ୍ରୋଧାଦି କରପଥ କଢାଳି ନିକର
ଅସତ୍ ପ୍ରବୃତ୍ତି କଷ୍ଟପ୍ରଦ ଭୟଙ୍କର । ୧ ।
ଭୀଷଣ ଦଉଡ଼ିମାନ ଦୃଢ଼େ ଗଳେ ବାନ୍ଧି
ବିନାଶ କରୁଅଛନ୍ତି ମୋତେ ନିରବଧି । ୨ ।
ଏଣୁ ତୁ ଶ୍ରୀକୃଷ୍ଣ ଭକ୍ତମାନଙ୍କର ପାଶେ
ସକାତରେ ଉଚ୍ଚସ୍ୱରେ କାନ୍ଦ ଅହର୍ନିଶେ । ୩ ।
ତୋ ରୋଦନ ଶୁଣି ସେହି ସାଧକ ବୈଷ୍ଣବେ
ଆସି ଏ ଶତ୍ରୁଙ୍କ ହସ୍ତୁ ରକ୍ଷଣ କରିବେ । ୪ ।
ନିର୍ବୈର ହୋଇ ଗୋପାଳକୃଷ୍ଣ ପ୍ରେମାନନ୍ଦେ
ସେବା କରଇ ନିଶ୍ଚିନ୍ତେ ଶ୍ରୀ ରାଧାଗୋବିନ୍ଦେ । ୫ ।