(ଗୋପାଳକୃଷ୍ଣ— ଝୁଲା)
ଶ୍ୟାମ ମୋ ଗଳାର ମାଳି ଗୋ
ଶ୍ୟାମ ଲାଗି ମୁଁ ପାଗଳି
ଶ୍ୟାମ ସୁମନରେ ଅତି ଯତନରେ
ଭରିବି ପୂଜାର ଥାଳି ଗୋ । ଘୋଷା ।
ଶ୍ୟାମଳ ବସନ କରି ପରିଧାନ
ତୋଳି ଶ୍ୟାମ ଫୁଲକଳି
ଶ୍ୟାମ ଚୂଳେ ଦେବି ଶ୍ୟାମକୁ ପୂଜିବି
ଶ୍ୟାମ କୁଞ୍ଜେ ଖେଳି ଦୋଳି ଗୋ । ୧ ।
ଶ୍ୟାମଳ କଙ୍କଣ କରେ ଆଭରଣ
କରି ହୋଇବି ଛଇଳି
ଶ୍ୟାମ ବଂଶୀସ୍ୱନ ଶ୍ରବଣେ ଶୁଣିଣ
ନାଚୁଥିବି ଢଳି ଢଳି ଗୋ । ୨ ।
ଶ୍ୟାମ ନାମ ଶ୍ରୁତିତଟେ ଶୁଣି ମତି
ଉଠିଥିବ ଫୁଲି ଫୁଲି
ଶ୍ୟାମ ଗୁଣ ଗାଇ ତନୁ ଚମକାଇ
ଚାଲୁଥିବି ଝୁଲି ଝୁଲି ଗୋ । ୩ ।
ଶ୍ୟାମବନ୍ଧୁ ମୋର ଚିର ଆପଣାର
ମୁଁ ତାଙ୍କର ରସକଲି
ଗୋପାଳକୃଷ୍ଣର ଜୀବ ସେ ଶ୍ୟାମର
ଶ୍ରୀଚରଣେ ବନ୍ଧା ଦେଲି । ୪ ।