(ଗୋପାଳକୃଷ୍ଣ— ରାଗ ଦେଶବରାଡ଼ି, ତାଳ ଆଠତାଳି)
ହେ ମନ୍ଦରଧର କନ୍ଦର୍ପସୁନ୍ଦର
ତୁମ୍ଭଙ୍କୁ ସୁନ୍ଦର ଏ ହେଲା କି
ଅବଳା ମାରଣ ବିଦ୍ୟାଟିକି କାହୁଁ
ଶିଖିଥିଲ ହଠ କଉତୁକୀ । ଘୋଷା ।
ତୁମ୍ଭ ଲାଗି ମୋର ଜୀବନସଙ୍ଗିନୀ
ହୋଇଲାଟି ଆହା କି ଦୁଃଖଭାଗିନୀ
ହେବାରୁ ନବୀନା ପ୍ରୀତି ସୋହାଗିନୀ
ତାର ପ୍ରତିଫଳ ଏହି ନିକି ।୧ ।
ଅକଥନୀୟ ତା ଦୁର୍ଦ୍ଦଶା କାହାଣୀ
କହି ଆସୁଁ ମୁଖେ ନ ସ୍ଫୁରଇ ବାଣୀ
ଆହା ଦେଖିଲି ଯା ଏ ମୋର କଲିଜା
ହୋଇ ଯାଉଅଛି ଟିକି ଟିକି । ୨ ।
ବିରହ ଅନଳ ତାପ ପଡ଼ୁଁ ବଳି
କୋମଳ ତନୁଟି ଯାଉଅଛି ଜଳି
ସେ ତୀବ୍ର ତାପ ସହନେ ଅସମର୍ଥୁଁ
ମୃତ୍ପଙ୍କେ ଲୁଣ୍ଠଇ ବିଧୁମୁଖୀ । ୨ ।
ତୁମ୍ଭେ ସପୁରୁଷ ଶିରୋମଣି ବୋଲି
ଜଗତେ ବିଖ୍ୟାତ ପରା ବନମାଳୀ
ଏବେ ନାରୀ ବଧ ବିପୁଳ କଳଙ୍କେ
ସେ ସୁଖ୍ୟାତି ଲୁପ୍ତ ନୋହିବ କି । ୩ ।
କେ କେତେ ଆଶ୍ୱାସ ଦେଇ ସଖୀଗଣ
ଶାନ୍ତ କରିବା ଚେଷ୍ଟାରେ ଅନୁକ୍ଷଣ
ତା ଭୀଷଣ ବେଦନାର ପରିମାଣ
ଅବୋଧନୁ ସର୍ବେ ଅଶ୍ରୁମୁଖୀ । ୪ ।
ତବ ଅଙ୍ଗ ସ୍ପର୍ଶ ପ୍ରତିଜ୍ଞାରେ ମାତ୍ର
ପ୍ରାଣ ଧରି ରହିଅଛି ଏ ପର୍ଯ୍ୟନ୍ତ
କହଇ ଗୋପାଳକୃଷ୍ଣ ମୁଁ ଏମନ୍ତ
ଜାଣେ ଅନୁମାନେ ଅବଲୋକି । ୫ ।