Manarijha Pirati Ke

ମନରିଝା ପୀରତି କେ
(Gopalakrusna— Raga Malabagouda, Tala Jati)
(ଗୋପାଳକୃଷ୍ଣ— ରାଗ ମାଳବଗୌଡ଼ା, ତାଳ ଯତି)

ମନରିଝା ପୀରତି କେ କଲାନି ମନା
ଭିନ୍ନ କଲେ କରଇ ଦଇବ ସିନା । ଘୋଷା ।

ଜାତି ନୀତି ଧନ ମହତ୍ତ୍ୱ ଗୁମାନ
ତେଜିବାକୁ ଅଛି ଯାର ଆଲୋଚନା । ୧ ।

ଚାର କି ଚାକର ଚାହିଁଲେ ତାହାର
କରଇ ଯେ ପ୍ରଭୁ ସମ ସମ୍ଭାବନା । ୨ ।

ଯା ଲାଗି ଯା ପ୍ରାଣ ଯିବ ଏ ପ୍ରମାଣ
ଦେଲେ ଛାଡ଼ିବ କି ତା ତୁଳରେ ସୁନା । ୩ ।

ନୟନ ଅୟନେ ଶୟନେ ସ୍ୱପନେ
ନ ଦିଶଇ ଆନ ତା ମୂରତି ବିନା । ୪ ।

ଯିବା ଯାଏ ଶିର ଯାର ଅଙ୍ଗୀକାର
କଥା ପଦକୁ ଥାଇ କି ତା ଶୋଚନା । ୫ ।

କହଇ ଗୋପାଳକୃଷ୍ଣ ସ୍ନେହଜଳ
-ନିଧି କରିବେ କି ଜନେ ଅକଳନା । ୬ ।