Jibana Bandhu Maguni

ଜୀବନବନ୍ଧୁ ମାଗୁଣି
(Gopalakrusna— Raga Natanarayana, Tala Ekatali)
(ଗୋପାଳକୃଷ୍ଣ— ରାଗ ନଟନାରାୟଣ, ତାଳ ଏକତାଳି)

ଜୀବନବନ୍ଧୁ ମାଗୁଣି ମାଗୁଛି ରେ ଏତିକି
ନାହିଁ କରିବୁ ନାହିଁଟି କହିଲା ବିନତିକି । ଘୋଷା ।

ନଚାଇ ଚରମେ ବେଣୀ ବଜାଇ ବଟି କିଙ୍କିଣୀ
ଝୁଲାଇବୁ ବିପରୀତେ ଭୁଲାକିର ମୋତିକି । ୧ ।

ସ୍ତନ ତୁଲେ ତୋରା ହାରା ତାଟଙ୍କ ଝଲକା ଝରା
ଚଳାଇବୁ ଚାହିଁ ମୋତେ ନ ଲିଭାଇ ବତୀକି । ୨ ।

ବିଲୋକିଛି ଦରାଧର ଭିଡ଼ା ମୁଖ ସୁଧାକର
ସ୍ୱେଦ ଜରଜର ଅନମ୍ବର ଦେହ ଦ୍ୟୁତିକି । ୩ ।

ଲତା ମଧ୍ୟରେ ନେଇ ଖଞ୍ଜନ ଡୋଳା ଖେଳାଇ
ଯାହା ବୋଲୁଥିବୁ ଶୁଭୁଥିବଟି ମୋ ଶ୍ରୁତିକି । ୪ ।

ଦୁଃଖରୁ ଉଦ୍ଧରିବାକୁ ଥିଲେ ଗୋପାଳକୃଷ୍ଣକୁ
ଅଙ୍ଗୀକାର କରି ଥରେ ପଠିଆଅ ଦୂତୀକି । ୫ ।