(ଗୋପାଳକୃଷ୍ଣ— ରାଗ ପରଜ, ତାଳ ଏକତାଳି)
ଚାହାଁରେ ନିକୁଞ୍ଜ ଶେଯକୁ
ଜୀବନର ବନ୍ଧୁ ରାଧାଗୋବିନ୍ଦ ସଜକୁ । ଘୋଷା ।
କେତେ କାଳରୁ ବିରଞ୍ଚି ବାଛି ରଖିଥିଲା ସଞ୍ଚି
ସଂସାର ସାର ସୁଷମା ସମ୍ପତ୍ତି ବ୍ରଜକୁ । ୧ ।
ସୁମନ ତଳ୍ପ ସରରେ କରୀ ପରମ ତୋଷରେ
ଧରିଲା ପରି ଦିଶୁଛି ସୁନା ପଙ୍କଜକୁ । ୨ ।
ହେଉ ଚାରି ଆଖି ଏକା ହସୁ ପ୍ରିୟ ଶ୍ରୀ ରାଧିକା
କାନ୍ତ କରେ ଲୁଚାଉଛି ଲୋଚନ ଲାଜକୁ । ୩ ।
ଅଚଳ ଚପଳା ହୃଦେ ବହି ଘନ ହେଲ ଉଦେ
ଉଚ୍ଛନ୍ନ ଦଶା ପଡ଼ିବ ମକରଧ୍ୱଜକୁ । ୪ ।
ଏ ବ୍ରଜରେ ଆଖି ବହିଥିବା ଜନଙ୍କର ସହି
ଜନ୍ମାନ୍ତର ପୁଣ୍ୟପୁଞ୍ଜ ଘଟିଛି ଆଜକୁ । ୫ ।
ଗୋପାଳକୃଷ୍ଣ ବାତାଧ୍ୱ କବାଟ କଲା ନିରୁଦ୍ଧ
ଆଳୀଏ ଯିବା ଉତ୍ତାରୁ ବଢ଼ାଇ ଭୁଜକୁ । ୬ ।